ଭୋଳାନାଥ ଆପଣଙ୍କୁ ଅପେକ୍ଷା କରିଛନ୍ତି: ଫାରୁକ ଅବଦୁଲ୍ଲା

ଶ୍ରୀନଗର: ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ଫାରୁକ୍‌ ଅବଦୁଲ୍ଲା ମଙ୍ଗଳବାର ଦିନ ଶ୍ରୀ ଅମରନାଥଙ୍କ ବାର୍ଷିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଭକ୍ତଙ୍କୁ ସାମିଲ ହେବା ପାଇଁ ଆମନ୍ତ୍ରଣ କରିଛନ୍ତି । ଫାରୁକ କହିଛନ୍ତି, ଭୋଳାନାଥ ଆପଣଙ୍କୁ ଅପେକ୍ଷା କରିଛନ୍ତି । ଆପଣମାନେ ବହୁ ସଂଖ୍ୟାରେ ଆସନ୍ତୁ, ଭୋଳାନାଥଙ୍କ ଦର୍ଶନ କରି ଆଶୀର୍ବାଦ ନିଅନ୍ତୁ ।

ଏହି ଅବସରରେ ସେ ସ୍ଥାନୀୟ ଅଧିବାସୀଙ୍କୁ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପର୍ଯ୍ୟଟନ ଉପରେ ଅଧିକ ନିର୍ଭରଶୀଳ ରହିବାକୁ ବାରଣ କରିଛନ୍ତି । ସେ କହିଛନ୍ତି, ଆମକୁ ଦୀର୍ଘସ୍ଥାୟୀ ବ୍ୟବସାୟ ଉପରେ ଅଧିକ ଦୃଷ୍ଟି ଦେବାକୁ ପଡ଼ିବ । ପର୍ଯ୍ୟଟନ ଶିଳ୍ପ ଉପରେ ସଂପୂର୍ଣ୍ଣ ଭରସା କରି ଆମେ ବର୍ଷତମାମ ଆରାମରେ ଚଳି ପାରିବାନି ।

ପହଲଗାମ ଆତଙ୍କୀ ହମ୍‌ଲା ମାମଲାରେ ଫାରୁକ୍‌ କହିଛନ୍ତି, କଶ୍ମୀରର ସୁନ୍ଦରତା ବିଶ୍ୱବାସୀ ଜାଣନ୍ତି । ବିଶ୍ୱବାସୀ କଶ୍ମୀରକୁ ଆସିବା ପାଇଁ ଆଗ୍ରହୀ । କିନ୍ତୁ ବିଡମ୍ବନାର ବିଷୟ ହେଉଛି, କୌଣସି ସ୍ଥାନରେ ଗୋଟିଏ ଗୁଳି ଫୁଟିଲେ, ଲୋକମାନେ ପଳାୟନ କରୁଛନ୍ତି ।