ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭୂପେନ୍ଦ୍ର ପଟେଲ୍‌

ଗାନ୍ଧୀନଗର: ଆଜି ଅପରାହ୍ଣରେ ଗୁଜରାଟର ୧୮ଶ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ୍‌ ଗୁଜରାଟୀ ଭାଷାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହା ହେଉଛି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ୍‌ଙ୍କର ଦ୍ବିତୀୟ ପାଳି।

ପଟେଲ୍‌ଙ୍କ ପରେ କୁନୁଭାଇ ଦେଶାଇ, ଋଷିକେଶ ପଟେଲ୍‌, ରାଘବଜୀ ପଟେଲ୍‌, ବଲ୍‌ୱନ୍ତ ସିଂହ ରାଜପୁତ, କୁଆଁର୍‌ଜି ବୱାଲିୟା, ମୁଲୋଭାଇ ବେରା, କୁବେର ଦିନଦୋର୍‌, ଭାନୁବେନ୍‌ ବାବରିୟା, ହର୍ଷ ସାଙ୍ଘୱି ଓ ଜଗଦୀଶ ବିଶ୍ବକର୍ମା ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି।  ଗାନ୍ଧୀନଗରର ହେଲିପ୍ୟାଡ୍‌ ପଡ଼ିଆରେ ‌ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ନିତିନ ଗଡ଼କରୀ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଗୁଜରାଟରେ ନିର୍ବାଚନ ପ୍ରଚାର କରିଥିବା ‘ବିଜେପି’ ମୁଖ୍ୟ ଜେ. ପି. ନଡ୍ଡା, ବରିଷ୍ଠ ନେତା ବି. ଏଲ୍‌. ସନ୍ତୋଷ ଏବଂ ସାଂସଦମାନେ ବି ଭୂପେନ୍ଦ୍ରଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ।