ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘୋମାଘୋଟ ଲଢେଇ । ରୁଷ ସେନାର ମିସାଇଲ ମାଡରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ଅନେକ ଜନସାଧାରଣ ଲୋକ ଓ ୟୁକ୍ରେନ ସେନା ମଧ୍ୟ ନିହତ ହୋଇଛନ୍ତି । ଅନ୍ୟପକ୍ଷରେ ଦିନକୁ ଦିନ ଭୟଙ୍କର ହେଉଛି ଉଭୟଙ୍କ ଲଢେଇ । ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୯ ଦିନରେ ପହଞ୍ଚିଛି । ଏହା ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷକୁ କଡା ଚେତାବନୀ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଯଦି ନାଟୋ ଓ ରୁଷ ମଧ୍ୟରେ ଲଢେଇ ହେବ ତାହେଲେ ତୃତୀୟ ବିଶ୍ୱଯୁଦ୍ଧ ସୃଷ୍ଟି ହେବ ଏବଂ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ।
ଅନ୍ୟପକ୍ଷରେ ବାଇଡେନ କହିଛନ୍ତି ଯେ, ଆମେରିକୀୟ ସେନା ୟୁକ୍ରେନରେ ଲଢିବେ ନାହିଁ । କାରଣ ନାଟୋ ଏବଂ ରୁଷ ମଧ୍ୟରେ ଲଢେଇ ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ । ତେଣୁ ଏଥିରୁ ଆମେ ଯଥାସମ୍ଭବ ବିରତ ରହିବା ଆବଶ୍ୟକ । ବାଇଡେନ ଆହୁରି ମଧ୍ୟ କହିଛନ୍ତି ଯେ ତୃତୀୟ ବିଶ୍ୱଯୁଦ୍ଧ ରୋକିବାକୁ ଆମେ ପ୍ରୟାସ କରୁଛୁ । ନାଟୋ ଦେଶଗୁଡ଼ିକୁ ଆମେରିକା ସୁରକ୍ଷା ଦେବ । ଯଦି ରୁଷ ୟୁକ୍ରେନରେ ରାସାୟନିକ ଅସ୍ତ୍ରର ବ୍ୟବହାର କରୁଛି ତେବେ ତାହା ବହୁମୂଲ୍ୟ ଦେବାକୁ ପଡ଼ିବ । ଏଥିପାଇଁ ତାଙ୍କୁ ଏବଂ ତାଙ୍କ ଦେଶକୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି କଡା ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ ଆହୁରି କହିଛନ୍ତି ଯେ ୟୁକ୍ରେନ ଶରଣାର୍ଥୀଙ୍କୁ ସ୍ୱାଗତ କରିବ ଆମେରିକା ଏବଂ ଯୁଦ୍ଧବିହୀନ ରାଷ୍ଟ୍ରକୁ ଅତିରିକ୍ତ ସହାୟତା ଯୋଗାଇବା ପାଇଁ ଆମ ଦେଶ ପ୍ରତିବଦ୍ଧ ରହିବ । ସୂଚନାଯୋଗ୍ୟ ଯେ, ହ୍ୱାଇଟ ହାଉସରେ ସାମ୍ବାଦିକ ସମ୍ମିଳନୀ କରି ବାଇଡେନ ରୁଷ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଡା କରିଛନ୍ତି ।