‘ମାଗଣା‌ ଟିକା ପ୍ରତିଶ୍ରୁତି’ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନୁହେଁ: ନିର୍ବାଚନ କମିସନ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମାଗଣା କରୋନାଭାଇରସ୍ ଟିକା ଯୋଗାଇ ଦେବାକୁ ନିର୍ବାଚନୀ ଇସ୍ତାହାରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଆଚରଣ ବିଧି ଉଲ୍ଲଂଘନ ନୁହେଁ ।ସୂଚନା ଅଧିକାର କର୍ମୀ ସାକେତ ଗୋଖଲେ ଦାଏର କରିଥିବା ଅଭିଯୋଗର ଉତ୍ତର ଦେଇ ନିର୍ବାଚନ କମିସନ୍ ଏଭଳି କହିଛି

ଆହୁରି ମଧ୍ୟ ନିର୍ବାଚନ କମିସନ୍‌ କହିଛନ୍ତି , ଏହାଦ୍ବାରା ଆଦର୍ଶ ଆଚରଣ ବିଧିରେ ଥିବା କୌଣସି ବ୍ୟବସ୍ଥା ଉଲ୍ଲଂଘନ ହେଉନାହିଁ।ଏନେଇ ଆଦର୍ଶ ଆଚରଣବିଧିର ଅଷ୍ଟମ ଭାଗରେ ନିର୍ବାଚନ ଇସ୍ତାହାର ନିମନ୍ତେ ଉଦ୍ଦିଷ୍ଟ କେତୋଟି ମାର୍ଗଦର୍ଶିକାର ଦୃଷ୍ଟାନ୍ତ ଦେଇଥିଲେ କମିଶନ । ଇସ୍ତାହାରରେ ବିଜେପି ଦେଇଥିବା ମାଗଣା ଟିକା ପ୍ରତିଶ୍ରୁତି ଏ ସବୁକୁ ଉଲ୍ଲଂଘନ କରୁନାହିଁ ବୋଲି କମିସନ ମତ ଦେଇଛି।

ସୂଚନାଥାଉକି, ଅକ୍ଟୋବର ୨୨ ତାରିଖ ଦିନ ପାଟନାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦଳର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଥିଲେ। କୋଭିଡ୍‌-୧୯ ଟିକା ‘ଆଇଏମ୍‌ସିଆର୍‌’ ଅନୁମୋଦନ ପାଇବା ପରେ ବିହାରବାସୀଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ଏହି ଇସ୍ତାହାରରେ ଉଲ୍ଲେଖ ଥିଲା। ଶାସକ ଦଳ ମହାମାରୀକୁ ରାଜନୈତିକ ଫାଇଦା ନିମନ୍ତେ ବ୍ୟବହାର କରୁଛି ବୋଲି ଅଭିଯୋଗ କରି ବିରୋଧୀ ଦଳମାନେ ବିଜେପିକୁ ସମାଲୋଚନା କରିଥିଲେ।