ଶିକ୍ଷାମନ୍ତ୍ରୀଙ୍କୁ ଆସେ ନାହିଁ ଜାତୀୟ ସଂଗୀତ !

ପାଟନା: ବିହାରରେ ଶିକ୍ଷାମନ୍ତ୍ରୀଙ୍କୁ ଆସେ ନାହିଁ ଜାତୀୟ ସଂଗୀତ ଗାନ କରିବା । ନୀତୀଶ ସରକାରଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଶିକ୍ଷାମନ୍ତ୍ରୀ ଭାବେ ଶପଥ ନେଇଥିବା ମେୱାଲାଲ୍ ଚୌଧୁରୀ ବିବାଦ ଘେରକୁ ଆସିଛନ୍ତି। ବିହାରର ମୁଖ୍ୟ ବିରୋଧୀ ଆରଜେଡି ମେୱାଲାଲଙ୍କ ଏକ ଭିଡିଓ ଶେଆର୍ କରିଛି, ଯେଉଁଥିରେ ପାର୍ଟି ଦାବି କରିଛି ଯେ ମେୱାଲାଲ ଜାତୀୟ ସଂଗୀତ ଆସେନାହିଁ।

ଆରଜେଡି ତା’ର ଅଫିସିଆଲ୍‌ ଟ୍ୱିଟର ହ୍ୟାଣ୍ଡଲରେ ପତାକାତ୍ତୋଳନ କାର୍ଯ୍ୟକ୍ରମର ଏକ ଭିଡିଓ ଶେଆର୍ କରି ଲେଖିଛି, ‘ଏକାଧିକ ଦୁର୍ନୀତି ମାମଲାରେ ଲିପ୍ତ ଥିବା ବିହାରର ଶିକ୍ଷା ମନ୍ତ୍ରୀ ମେୱାଲାଲ୍ ଚୌଧୁରୀଙ୍କୁ ଜାତୀୟ ସଂଗୀତ ବି ଗାନ କରିବା ଆସେ ନାହିଁ। ନୀତୀଶ କୁମାର ଜୀ ତୁମକୁ ଲଜ୍ଜା ଅଛି କି ନାହିଁ। ତୁମ ଅନ୍ତରଆତ୍ମା କେଉଁଠି ଅଛି?’

୩୮ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ମେୱାଲାଲ ଜାତୀୟ ସଂଗୀତକୁ ଠିକ୍ ଭାବେ ଗାନ କରିପାରୁନାହାନ୍ତି। ସେ ମଝିରେ ମଝିରେ କିଛି ଭୁଲ୍ କରିଛନ୍ତି । ଯାହା ଭିଡିଓରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି। ବୁଧବାର ଶେଆର୍ କରାଯାଇଥିବା ଏହି ଭିଡିଓ ଜରିଆରେ ଆରଜେଡି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି । ଏହାସହ ‘ଜଣେ ଦାଗି ନେତାଙ୍କୁ କିଭଳି ନୀତୀଶ କୁମାର ନିଜ କ୍ୟାବିନେଟରେ ସାମିଲ୍ କଲେ ଆରଜେଡି ତାହା ପ୍ରଶ୍ନ ମଧ୍ୟ କରିଛି ।