ଗୁଆହାଟୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଅଭିଯାନ ଆରମ୍ଭ ହୋଇଗଲାଣି । ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସାମ ଗସ୍ତ କରି ଜନ ସମାବେଶରେ ଯୋଗ ଦେଇଛନ୍ତି । ଗୁଆହାଟୀରେ ଦଳୀୟ କାର୍ଯ୍ୟାଳୟ ଉଦ୍ଘାଟନ ଅବସରରେ ଅମିତ ଶାହା ୪୦ ବର୍ଷ ତଳର କଥାକୁ ମନେ ପକାଇଥିଲେ । ସେ କହିଥିଲେ ଚାଳିଶି ବର୍ଷ ତଳେ ସେ ଆସାମରେ ବିଦ୍ୟାର୍ଥୀ ପରିଷଦ କାର୍ଯ୍ୟକ୍ରମରେ ଯୋଗ ଦେଇ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ହିତେଶ୍ୱର ସାଇକିଆଙ୍କଠାରୁ ଭୀଷଣ ମାଡ଼ ଖାଇଥିଲେ ।
ସେତେବେଳେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ସ୍ଲୋଗାନ୍ ଦେଇ ପୁଲିସଠାରୁ ମାଡ଼ ଖାଇଥିବା ବିଷୟ ସ୍ପଷ୍ଟ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ବିଜେପି ନିଜ ଶକ୍ତିବଳରେ ଆସାମକୁ ଦୁଇଥର ଶାସନ କରିବାର ସୁଯୋଗ ପାଇବ ବୋଲି ସେ କଳ୍ପନା କରି ନଥିଲେ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁ ଚୀନ୍ ସହ ବିବାଦ ସମୟରେ ଆସାମକୁ ଏକଦମ୍ ଭୁଲି ଯାଇଥିଲେ । ନେହୁରୁଙ୍କ ଅମଳରେ ଆସାମ ବିଦ୍ରୋହୀଙ୍କ କବ୍ଜାରେ ଥିଲା । ଆସାମର ସାଧାରଣ ଜନତା ଭୟଭୀତ ଜୀବନ ଅତିବାହିତ କରୁଥିଲା ବେଳେ ନେହୁରୁ ନିରବଦ୍ରଷ୍ଟା ସାଜିଥିଲେ । ମାତ୍ର ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଆସାମର ଆଭ୍ୟନ୍ତରୀଣ ପରିବେଶ ଶାନ୍ତିପୂର୍ଣ୍ଣ ରହିଛି । ବିଦ୍ରୋହୀ ସଂଗଠନ ଆଉ ଉତ୍ପାତ କରୁନାହାନ୍ତି ।
ଏକ ଜନସମାବେଶରେ ଯୋଗଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଉ ପାଂଚବର୍ଷ ପାଇଁ ଭୋଟ ଲୋଡ଼ିଛନ୍ତି । ସେ କହିଛନ୍ତି, ଆସାମର ଅଧିକାଂଶ ସମସ୍ୟା ଏବେ ସମାଧାନର ଦ୍ୱାରଦେଶରେ ପହଂଚି ସାରିଛି । ଆଉ ପାଂଚବର୍ଷ ଭିତରେ ଆସାମରେ ସମସ୍ୟା ବୋଲି କିଛି ନଥିବ । ଭାରତର ପୂର୍ବଭାଗ ରାଜ୍ୟଗୁଡ଼ିକର ବିକାଶ ପ୍ରତି କେନ୍ଦ୍ରର ମୋଦୀ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି । ଆସନ୍ତା ପାଂଚବର୍ଷ ଭିତରେ ଆସାମ ଦେଶର ଅନ୍ୟତମ ବିକଶିତ ରାଜ୍ୟ ଭିତରେ ଗଣାହେବ ।