ତ୍ରିପୁରା, ନାଗାଲାଣ୍ଡରେ ବିଜେପି ଗୋଠ, ମେଘାଳୟରେ ଝୁଲା ସରକାର
୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯାଇଥିଲା….
ନୂଆଦିଲ୍ଲୀ: ପୂର୍ବ ଭାରତର ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ସଂପର୍କୀତ ମତଦାନ କ୍ରିୟା ସରିଛି । ଫେବୃଆରୀ ୧୬ ତାରିଖରେ ତ୍ରିପୁରା, ୨୭ ତାରିଖରେ ମେଘାଳୟ ଓ ନାଗାଲାଣ୍ଡରେ ମତଦାନ ସମ୍ପାଦନ ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ସର୍ବେକ୍ଷଣ ପ୍ରକାଶ ପାଇଛି । ତଦନୁସାରେ ତ୍ରିପୁରାରେ ବିଜେପି ଗୋଠ ସରକାର ଗଠନ କରିବ ବୋଲି କୁହାଯାଉଛି । ମେଘାଳୟରେ କାହାକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ଓ ନାଗାଲାଣ୍ଡରେ ବିଜେପି ଗୋଠ କ୍ଷମତାକୁ ଫେରିବା ଆଶା କରାଯାଉଛି । ସୋମବାର ମତଦାନ ଶେଷ ହେବାର କିଛିକ୍ଷଣ ପରେ ପ୍ରକାଶ ପାଇଛି ବିଭିନ୍ନ ସର୍ବେକ୍ଷଣ ରିପୋର୍ଟ ।
ମାର୍ଚ୍ଚ ୨ ତାରିଖରେ ଫଳାଫଳ ଘୋଷଣା କରିବେ ନିର୍ବାଚନ କମିଶନ । ଜାନୁଆରୀ ୧୮ ତାରିଖରେ ନିର୍ବାଚନ କମିଶନ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଘୋଷଣା କରିଥିଲେ । ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯାଇଥିଲା । ମତଦାନ ହାର ପ୍ରାୟ ୮୬.୧୦% । ୨୦୧୮ରେ ତ୍ରିପୁରାରେ ମତଦାନ ହାର ୯୦% ଥିଲା । ଏବେ ତ୍ରିପୁରାରେ ବିଜେପି ଶାସନ କରୁଛି ।
୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭା ପାଇଁ ମତଦାନ ସରିଛି । ୨୦୧୮ରେ ୫୯ ଆସନରେ ନିର୍ବାଚନ ହୋଇଥିଲା । କଂଗ୍ରେସ ସର୍ବାଧିକ ୨୧ଟି ଆସନ ଦଖଲ କରିଥିଲା ବେଳେ ବିଜେପି ମାତ୍ର ଦୁଇଟି ଆସନ ପାଇଥିଲା । ନ୍ୟାସନାଲ ପିପୁଲ୍ସ ପାର୍ଟି ୧୯ଟି ଆସନ ପାଇ ପିଡିଏଫ୍ ଓ ଏଚ୍ଏସ୍ପିଡିପି ସହ ମିଶି ମେଘାଳୟ ଡେମୋକ୍ରାଟିକ୍ ଆଲିଆନ୍ସ ସରକାର ଗଠନ କରିଥିଲା ।
ନାଗାଲାଣ୍ଡରେ ନ୍ୟାସନାଲ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ପାର୍ଟି ଶାସନ କରୁଛି । ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡ ବିଧାନସଭାରେ ଏନ୍ଡିପିପି ଦଖଲରେ ୧୮ ଓ ବିଜେପି ହାତରେ ୧୨ଟି ଆସନ ଅଛି । ନିର୍ବାଚନ ପୂର୍ବରୁ ଦୁଇଦଳ ମେଂଟ କରିଥିଲେ । କ୍ଷମତାସୀନ ମେଂଟରେ ଏନ୍ଡିପିପି, ବିଜେପି, ଏନ୍ପିପି ଓ ଜେଡିୟୁ ସାମିଲ ଅଛି ।