ନୂଆଦିଲ୍ଲୀ: ବିଜେପିରେ କଥା କୁହାଳିଆ ନେତାଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ଅଶୀଦଶକରେ ବିଜେପିକୁ ନୋଟା କମ୍ବଳ ଦଳ କହି ଟାହି ଟାପରା କରୁଥିଲେ ଲୋକମାନେ । ନବେ ଦଶକରେ ବିଜେପିକୁ ବ୍ରାହ୍ମଣ ବଣିକ ଦଳ କୁହାଗଲା । ବିଜେପିର ଭୀଷ୍ମ ଅଟଳ ବିହାରୀ ବାଜପେୟୀ ଓ ଦ୍ରୋଣ ଲାଲକୃଷ୍ଣ ଆଡଭାନୀଙ୍କ ଶାସନ ସମୟରେ ବିଜେପିର ପରିଚୟ ବଦଳିଗଲା । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ରାଜନୈତିକ ସଂଗଠନ ଭାବେ ପରିଗଣିତ ବିଜେପିର ଅସଲି ଚେହେରା ଆଜିଯାଏ ଲୋକଙ୍କ ନିକଟରେ ଗୋପନୀୟ ହୋଇ ରହିଯାଇଛି । ବିଜେପିର ସଂଖ୍ୟାଲଘୁ ଚେହେରା ଓ ଦଳିତ ଚେହେରାକୁ ଖୋଜିବାକୁ ଆମେ ଯାଇଥିଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକସଭା କ୍ଷେତ୍ର ବାରାଣସୀ ଅଂଚଳକୁ ।
ବାରାଣସୀର ଏଭଳି ଅଂଚଳ ଅଛି ଯୋଉଠି ମୋଦୀଙ୍କ ପାଦ ପଡ଼ିନି; ସେଠାକାର ଲୋକମାନେ ମୋଦୀଜୀଙ୍କ ଫଟୋ ଦେଖି ପଛୁଆ ବର୍ଗର ପୁଅ ମଣି ଭୋଟ ଦେଇଛନ୍ତି ସିନା; ହେଲେ ଏବେ ସେମାନେ ଅନୁଭବ କରୁଛନ୍ତି ଯେ ମୋଦୀ କଥା କହିବାରେ ଧୁରନ୍ଧର ହୋଇପାରନ୍ତି । ମୋଦୀ ପଛୁଆ ବର୍ଗର ଲୋକ ହୋଇପାରନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ହୋଇଛନ୍ତି ବ୍ରାହ୍ମଣ ଓ ବଣିକ ସମୁଦାୟର ମଙ୍ଗଳ ପାଇଁ । ବନାରସ ସହରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ଗୋଟିଏ ଗ୍ରାମ ବିହଡ଼ାକୁ ଯାଇଥିଲୁ । ସେଠାରେ ମୂଷାଖିଆ ଦଳିତ ସମୁଦାୟର ହିନସ୍ତାକୁ ଆଖିରେ ଦେଖିଲୁ ।
ଗ୍ରାମର ପ୍ରାୟ ୭୦୦ ଲୋକ ମୂଷାଖିଆ ଦଳିତ ଜାତିର ଅଛନ୍ତି । କିନ୍ତୁ ସେମାନଙ୍କୁ ଉଚ୍ଚଜାତିର ଲୋକଙ୍କ ଇଶାରାରେ ନାଚିବାକୁ ପଡୁୁଛି । ଦଳିତ ଜାତିର ଲୋକଙ୍କୁ ପୋଖରୀ ଗଡ଼ିଆକୁ ଯିବା ମନା । ନଳକୂଅ ଛୁଇଁବା ମନା । ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅନୁମତି ପତ୍ରଟି ହାତରେ ଧରି ବହୁ ପରିବାର ବସିଛନ୍ତି । କିନ୍ତୁ ଉଚ୍ଚଜାତିର ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ତିଆରି କରିବାକୁ ସୁଯୋଗ ଦେଉନାହାନ୍ତି । ବ୍ଲକ ପ୍ରଶାସନ ଚାଲିଛି ଉଚ୍ଚଜାତିର ଲୋକଙ୍କ କଥାରେ ।
ଦଳିତ ଜାତିର ଝିଅବୋହୁମାନେ ନଳକୂପକୁ ଛୁଇଁଦେଲେ ମାରା ହୋଇଯାଉଛି; କିନ୍ତୁ ସେଇ ଦଳିତ ଜାତିର ଝିଅବୋହୁଙ୍କ ପ୍ରତି ଅସଦାଚରଣ କଲେ, ଉଚ୍ଚଜାତିର ପୁରୁଷଙ୍କର ଜାତି ଚାଲିଯାଉନି । ଯୋଉ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସେହି ରାଜ୍ୟରେ ଦଳିତ ପରିବାରକୁ ଶାନ୍ତିରେ ରହିବାକୁ ସୁଯୋଗ ଦିଆଯାଉନି । ଏସବୁ ଦେଖିବା ପରେ କୋଉ ଦଳିତ ଜାତିର ଭୋଟର ବିଜେପିକୁ ଭୋଟ ଦେବ । କୋଉ ଜନଜାତିର ଲୋକମାନେ ବିଜେପିକୁ ଭୋଟ ଦେବେ ।