ମୃତଚାଷୀଙ୍କ ଅଭିଶାପରୁ ତ୍ରାହି ପାଇବନି ବିଜେପି

ଲଖିମପୁର ହିଂସାରୁ ମୁକୁଳି ପାରିବେନି ଆଶିଷ ମିଶ୍ର…

ଲଖିମପୁର: ଲଖିମପୁର ଖିରି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଓରଫ ମନୁଙ୍କ ପାଇଁ ବିପଦ କ୍ରମେ ଘନେଇଛି । ଲଖିମପୁରସ୍ଥିତ ଅତିରିକ୍ତ ଦୌରାଜଜ ମଙ୍ଗଳବାର ଆଶିଷଙ୍କ ସମେତ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ଧାରା ଚୂଡ଼ାନ୍ତ କରିଛନ୍ତି । ଆଶିଷଙ୍କ ବିରୋଧରେ ଆଇପିସି ଓ ମୋଟରଯାନ ଆଇନ ଉଲ୍ଲଙ୍ଘନ ମାମଲା ରୁଜୁ କରାଯାଇଛି । ଡିସେମ୍ବର ୧୬ ତାରିଖରୁ ବିଚାର ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମ ଦିନରୁ ସାକ୍ଷ୍ୟ ଗ୍ରହଣ କରାଯିବ । ଆଶିଷଙ୍କ ପ୍ରତି ଲାଗୁ ଅଭିଯୋଗ ସାବ୍ୟସ୍ତ ହୋଇଗଲେ, ତାଙ୍କ କଠିନ ଦଣ୍ଡ ଭୋଗିବାକୁ ପଡ଼ିବ ।

ଜଣାଇ ଦେଉଛୁ, ଲଖିମପୁର ଜିଲ୍ଲାର ତିକୁନିୟା ଥାନା ଅଂଚଳରେ ୨୦୨୧ ଅକ୍ଟୋବର ୩ ତାରିଖରେ ହିଂସାକାଣ୍ଡ ଘଟିଥିଲା । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କ ସୁପୁତ୍ର ଆଶିଷ ମିଶ୍ର ଓରଫ ମନୁଙ୍କ ଆଦେଶ କ୍ରମେ ଆନ୍ଦୋଳନରତ କୃଷକଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦିଆଯାଇଥିବା ଅଭିଯୋଗ ଏବେ ବିରାଟ ରୂପ ନେଇଛି । ଟ୍ରାକ୍ଟର ଚକାତଳେ ଚାରିଜଣ କୃଷକଙ୍କ ଜୀବନ ଚାଲି ଯାଇଥିଲା । କୃଷକଙ୍କ ଆନ୍ଦୋଳନ କ୍ରମେ ଉଗ୍ରରୂପ ଧାରଣ କରିଥିଲା ପରିଣାମ ସ୍ୱରୂପ ୮ ଜଣ ଲୋକ ପ୍ରାଣ ହରାଇଲେ ।

ଆନ୍ଦୋଳନରତ କୃଷକମାନେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ । କୃଷକଙ୍କ ବିକ୍ଷୋଭ ସ୍ଥାନଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ବଡ଼ ଧରଣର ଗଣ୍ଡଗୋଳ ମୁଣ୍ଡ ଟେକିଥିଲା ଯାହାର ପରିଣାମରେ କିଛି କୃଷକ ଜୀବନ ହରାଇଲେ, କିଛି କୃଷକ ଖଣ୍ଡିଆ ଖାବରା ହେଲେ । ଆଶିଷ ମିଶ୍ରଙ୍କ କାର ଚାଳକକୁ ବିକ୍ଷୋଭରତ କୃଷକମାନେ ପିଟିପିଟି ମାରି ଦେଇଥିଲେ ।