ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି, ମେଘାଳୟରେ ସାଙ୍ଗମା

ନାଗାଲାଣ୍ଡରେ ନ୍ୟାସନାଲ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି କ୍ଷମତାରେ ରହିଛି…

ନୂଆଦିଲ୍ଲୀ: ପୂର୍ବ ଭାରତର ତିନୋଟି ରାଜ୍ୟର ନିର୍ବାଚନ ପରିଣାମ ପ୍ରକାଶ ପାଇଛି । ତ୍ରିପୁରାରେ ବିଜେପି ମେଂଟକୁ ୩୩ ଓ ନାଗାଲାଣ୍ଡରେ ୩୭ ଆସନ ମିଳିଛି । ମେଘାଳୟରେ ମୁଖ୍ୟମନ୍ତ୍ରୀ କାନରାଡ୍‌ ସାଙ୍ଗମାଙ୍କ ପାର୍ଟି ଏନ୍‌ପିପି ସର୍ବାଧିକ ଆସନ ଦଖଲ କରିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ୍‌ କରିଛନ୍ତି ଯେ ମେଘାଳୟ ମୁଖ୍ୟମନ୍ତ୍ରୀ କାନରାଡ୍‌ ସାଙ୍ଗମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍‌ କରି ସରକାର ଗଠନ ପାଇଁ ସହାୟତା ଲୋଡ଼ିଛନ୍ତି ।

ତ୍ରିପୁରା ବିଧାନସଭାର ମୋଟ ୬୦ଟି ଆସନ ଭିତରୁ ବାମ ସାମ୍ମୁଖ୍ୟକୁ ୧୪, ଟିଏମ୍‌ପିକୁ ୧୩ ଆସନ ମିଳିଛି । ଫେବୃଆରୀ ୧୬ ତାରିଖରେ ୬୦ଟି ଆସନରେ ୮୬.୧୦% ମତଦାନ ହୋଇଥିଲା ଯାହା ପୂର୍ବ ନିର୍ବାଚନ ତୁଳନାରେ ୪% କମ୍‌ । ୨୦୧୮ରେ ତ୍ରିପୁରାର ୫୯ଟି ଆସନରେ ୯୦% ମତଦାନ ହୋଇଥିଲା । ବିଜେପି ସର୍ବାଧିକ ୩୫ଟି ଆସନ ଦଖଲ କରି ବାମ ସାମ୍ମୁଖ୍ୟର ୨୫ ବର୍ଷର ଶାସନ ଗଡ଼କୁ ମାଟିରେ ମିଶାଇ ଦେଇଥିଲା । ୨୦୨୩ରେ ବିଜେପି ସବୁ ଆସନରେ ପ୍ରାର୍ଥୀ ଦେଇଥିଲା । ବାମ ସାମ୍ମୁଖ୍ୟ-କଂଗ୍ରେସ ମିଳିତ ଭାବେ ୪୭-୧୩ଟି ଆସନରେ ଲଢ଼ିଥିଲେ ।

ନାଗାଲାଣ୍ଡର ୧୬ଟି ଜିଲ୍ଲାର ୫୯ଟି ଆସନରେ ଫେବୃଆରୀ ୨୭ ତାରିଖରେ ୮୫.୯୦ ମତଦାନ ହୋଇଥିଲା ଯାହା ପୂର୍ବ ନିର୍ବାଚନ ତୁଳନାରେ ୧୦% ଅଧିକ । ୨୦୧୮ରେ ମତଦାନ ହାର ୭୫% ଥିଲା । ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ନିର୍ବିବାଦୀୟ ବିଜୟୀ ହୋଇଥିଲେ । ନାଗାଲାଣ୍ଡରେ ନ୍ୟାସନାଲ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି କ୍ଷମତାରେ ରହିଛି । ୨୦୧୭ ନିର୍ବାଚନରେ ଏନ୍‌ଡିପିପି ମଇଦାନରେ ପାଦ ଥାପିଥିଲା । ଏନ୍‌ଡିପିପିକୁ ସେତେବେଳେ ୧୮ ଓ ବିଜେପିକୁ ୧୨ ଆସନ ମିଳିଥିଲା ।

ମେଘାଳୟରେ ଫେବୃଆରୀ ୨୭ ତାରିଖରେ ୬୦ଟି ଆସନ ଭିତରୁ ୫୯ଟି ଆସନରେ ମତଦାନ ଗ୍ରହଣ କରାଯାଇଥିଲା । ସୋହିୟୋଂ ଆସନରେ ୟୁଡିପି ପ୍ରାର୍ଥୀ ଏଚ୍‌ଡିଆର୍‌ ଲିଙ୍ଗଡୋଙ୍କ ଦେହାନ୍ତ କାରଣରୁ ନିର୍ବାଚନ ସ୍ଥଗିତ ରଖାଯାଇଛି । ୨୦୧୮ରେ ମତଦାନ ହାର ୬୭% ଥିଲା । ୨୦୧୮ରେ ମତଦାନ ହାର ୬୭% ଥିଲା । ଏଥର ଏନ୍‌ପିପି ୫୭, କଂଗ୍ରେସ ଓ ବିଜେପି ୬୦-୬୦ ଆସନ ଓ ଟିଏମ୍‌ସି ୫୬ଟି ଆସନରେ ଲଢ଼ିଥିଲା । ୨୦୧୮ ନିର୍ବାଚନରେ କଂଗ୍ରେସ ସର୍ବାଧିକ ୨୧ଟି ଆସନ ପାଇଥିଲା । ବିଜେପିକୁ ମାତ୍ର ୨ଟି ଆସନ ମିଳିଥିଲା । ସାଙ୍ଗମାଙ୍କର ଏନ୍‌ପିପି ୧୯ଟି ଆସନ ଦଖଲ କରିଥିଲା ।