ବିଜେପି ଅପାଠୁଆଙ୍କ ଦଳ, ସରକାରୀ ସ୍କୁଲ ଭାଙ୍ଗୁଛନ୍ତି
ଉକ୍ତ ସରକାରୀ ସ୍କୁଲଗୁଡ଼ିକ ଘରୋଇ ଶିକ୍ଷାନୁଷ୍ଠାନକୁ କଡ଼ା ଟକ୍କର ଦେଉଛନ୍ତି…..
ନୂଆଦିଲ୍ଲୀ: ବିଜେପି ମିଛ କହିବାରେ ଧୁରନ୍ଧର, ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକ ସବୁଦିଗରୁ ସୁନ୍ଦର । ମାତ୍ର ବିଜେପି ପରିଚାଳିତ ବିଦ୍ୟାଳୟରେ ଯାବତୀୟ ଅଳିଆ କାମ ଚାଲିଛି । ମିଛ ମାମଲାରେ ଫସାଇ ସରକାରୀ ସ୍କୁଲଗୁଡ଼ିକରେ ତାଲା ଝୁଲାଇବା ବିଜେପିର କାରସାଦି । ଅପାଠୁଆଙ୍କ ପାର୍ଟି ହେଉଛି ବିଜେପି । ସାରାଦେଶକୁ ଅପାଠୁଆ ରଖିବାକୁ ଚାହୁଁଛି ବିଜେପି । ୨୦୧୫ ପରେ ଅରବିନ୍ଦ କେଜ୍ରିୱାଲ ୭୦୦ ନୂଆ ସ୍କୁଲ କୋଠା ନିର୍ମାଣ କରିଛନ୍ତି । ଉକ୍ତ ସରକାରୀ ସ୍କୁଲଗୁଡ଼ିକ ଘରୋଇ ଶିକ୍ଷାନୁଷ୍ଠାନକୁ କଡ଼ା ଟକ୍କର ଦେଉଛନ୍ତି । ଅଯଥା ହଇରାଣ କରିବା ପାଇଁ ବିଜେପି ସିବିଆଇ ଓ ଇଡିକୁ ଲଗାଇ ଦେଉଛି । ମୁଁ ସିବିଆଇ କିମ୍ବା ଇଡି ଚଢ଼ଉକୁ ଡରିନି ।
ଚାରିବର୍ଷ ତଳେ ଚଢ଼ଉ କରିଥିଲେ, କିଛି ପାଇଲେ? ସେମାନେ ଆମର ୪୦ ବିଧାୟକଙ୍କ ନାମରେ ମିଛ ଅଭିଯୋଗ କରିଛନ୍ତି । ବିଜେପି କେବଳ ସିବିଆଇ ରେଡ କରିଆସେ । ଆମକୁ ସ୍କୁଲ ନିର୍ମାଣ ଆସେ ।’ ଶନିବାର ସାମ୍ବାଦିକ ସମ୍ମିଳନୀରେ ଏପରି ବିଷୋଦଗାର କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା । ସେ ପୁଣି କହିଛନ୍ତି, ଲେଫ୍ଟନାଂଟ ଗଭର୍ଣ୍ଣରଙ୍କ ଅଫିସକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦସ୍ତଖତ ନକରି ଫାଇଲ ପଠାଉଥିବା କଥା ଉଠୁଛି । ଏଇଟା ଗୋଟିଏ ରୁଟିନ୍ ପ୍ରକ୍ରିୟା । ଏଲ୍ଜି ସାହେବ ଏଲ୍ଜିଙ୍କ ଭଳି ଆଚରଣ କରନ୍ତୁ ।
୨୦୧୪ରୁ ବିଜେପି ମେଂଟ ଶାସନ କରୁଛି । ତା’ରି ଭିତରେ ହଜାର ହଜାର ସରକାରୀ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ଘରୋଇ ସ୍କୁଲ ଖୋଲାଯାଇଛି । ମୋ ପାଖରେ ଥିବା ତଥ୍ୟ ମୁତାବକ ୨୦୧୫ରୁ ୨୦୨୧ ଭିତରେ ୭୨, ୭୪୭ ସରକାରୀ ସ୍କୁଲ ବନ୍ଦ ହୋଇଛି । କେବଳ ୟୁପିରେ ୨୬ ହଜାର ସ୍କୁଲ ଓ ମଧ୍ୟପ୍ରଦେଶରେ ୨୨ ହଜାର ସ୍କୁଲ ବନ୍ଦ କରାଯାଇଛି । ସେହି ସମୟ ଭିତରେ ବିଜେପି ନେତାମାନେ ପ୍ରାୟ ୧୧,୭୩୯ ଘରୋଇ ସ୍କୁଲ ଖୋଲିଛନ୍ତି ।