ଉମେଶ ପାଲଙ୍କ ହତ୍ୟା ପଛରେ ବିଜେପି ନେତାଙ୍କ ଭାଇ

ସଂପୃକ୍ତ ଘଟଣାର ତଦନ୍ତ କରି ପୁଲିସ କହିଛି….

ଲକ୍ଷେ୍ନø: ଶୁକ୍ରବାର ସଂଗମ ନଗରୀ ପ୍ରୟାଗରାଜରେ ସଂଘଟିତ ଉମେଶ ପାଲଙ୍କ ହତ୍ୟାକାଣ୍ଡରେ ବିଜେପି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ରାହିଲ ହସନଙ୍କ ଭାଇ ଗୁଲାମ ହସନ୍‌ଙ୍କ ନାମ ସାମ୍ନାକୁ ଆସିଛି । ୨୦୦୫ରେ ବିଏସ୍‌ପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ । ଗୁଲାମ ହସନଙ୍କ ସଂପର୍କରେ ବିଜେପି ଜିଲ୍ଲା ସଭାପତି ଗଣେଶ କେସରୱାନୀଙ୍କୁ ଫୋନରେ ପଚାରିବାରୁ ସେ କହିଛନ୍ତି ଯେ ଗୁଲାମକୁ ଦଳରୁ ବାହାର କରି ଦିଆଯାଇଛି ।

ଗୁଲାମକୁ ଦଳରୁ କେବେ ବହିଷ୍କାର କରାଯାଇଛି ସେ ସଂପର୍କୀତ କୌଣସି ଚିଠି ବିଜେପି ପକ୍ଷରୁ ଜାରି କରାଯାଇନି । ସଂପୃକ୍ତ ଘଟଣାର ତଦନ୍ତ କରି ପୁଲିସ କହିଛି, ଉମେଶ ପାଲ ଓ ତାଙ୍କ ଦେହରକ୍ଷୀ ସନ୍ଦୀପ ନିଷାଦଙ୍କୁ ମାତ୍ର ୪୪ ସେକେଣ୍ଡ ଭିତରେ ହତ୍ୟା କରାଯାଇଛି । ଉମେଶଙ୍କୁ ମାରିବା ପାଇଁ ବହୁ ପୂର୍ବରୁ ତାଙ୍କ ଘର ନିକଟରେ ଥିବା ଦୋକାନରେ ସୁପାରି କିଲରଙ୍କ ସମେତ ଅନ୍ୟ ଗୁଣ୍ଡାମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ।

ଉମେଶ ତାଙ୍କ ଗାଡ଼ିରୁ ବାହାରିବା ମାତ୍ରେ ସୁଟର ତାଙ୍କ ଉପରକୁ ଗୁଳି କରିଥିଲା । ଅଙ୍ଗରକ୍ଷୀ ସନ୍ଦୀପ ନିଷାଦ ଉମେଶଙ୍କ ଆଗକୁ ଚାଲିଯିବାରୁ ତାଙ୍କ ଛାତିରେ ଗୁଳି ବାଜିଥିଲା । ହତ୍ୟାକାଣ୍ଡ ନିକଟରେ ଲଗା ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ଗୁଳି ବାଜିବା ମାତ୍ରେ ଉମେଶ ତାଙ୍କ ଘର ଆଡ଼କୁ ଧାଉଁଥିଲେ । ମାତ୍ର ଗୁଣ୍ଡାମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରିବା ସହିତ ବୋମାମାଡ଼ କରିଥିଲେ ।

ଗୁଳିମାଡ଼ ଖାଇ କାର ନିକଟରେ ତଳେପଡ଼ି ଯାଇଥିଲେ ସନ୍ଦୀପ । କାଳବିଳମ୍ବ ନକରି ସେ ଗୁଣ୍ଡାମାନଙ୍କ ପଛରେ ଦୌଡ଼ିବାକୁ ଲାଗିଲେ । ଗୁଣ୍ଡାମାନେ ତାଙ୍କୁ ଦେଖି ଗୁଳି କରିବା ସହ ବୋମା ଫିଙ୍ଗିଥିଲେ । ଗୁଣ୍ଡାମାନଙ୍କ ହମ୍‌ଲାରେ ଦୁହେଁ ଉମେଶ ଓ ସନ୍ଦୀପ ଘର ବାହାରେ ଟଳି ପଡ଼ିଲେ ।