ଲଜ୍ଜାର ସୀମା ଟପିଛି ବିଜେପିର ଫଟୋଉଠା ରାଜନୀତି

ସହିଦ କ୍ୟାପଟେନଙ୍କ ଶୋକସନ୍ତପ୍ତ ମା’ଙ୍କ ନିକଟରେ ଠିଆ ହୋଇ ଫଟୋ ଉଠାଇବା ପାଇଁ ବିଜେପି ମନ୍ତ୍ରୀଙ୍କ ଆଗ୍ରହକୁ ଦେଖି ଗଣମାଧ୍ୟମ ସମେତ ଉପସ୍ଥିତ ଜନତା ତୀବ୍ର ସମାଲୋଚନା କରିଛନ୍ତି । ନିର୍ବାଚନ ମାହୋଲରେ ସହିଦଙ୍କ ପରିବାରକୁ ରାଜନୀତି ପଶାପାଲିରେ ବ୍ୟବହାର କରିବା ପାଇଁ ବିଜେପି ଏତେତଳକୁ ଚାଲିଯିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଲୋକମାନେ କହିବା ଆରମ୍ଭ କଲେଣି ।

ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ ମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ ସହିଦ କ୍ୟାପଟେନ୍‌ ଶୁଭମ ଗୁପ୍ତାଙ୍କ ଆଗ୍ରାସ୍ଥିତ ବାସଭବନରେ ପହଂଚିଥିଲେ । ସହିଦଙ୍କ ଶୋକସନ୍ତପ୍ତ ମା’ବାପାଙ୍କ ହାତକୁ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ ।

ଯୋଗୀଙ୍କ ସହକର୍ମୀ ଯୋଗେନ୍ଦ୍ର ୨୫-୨୫ ଲକ୍ଷ ଟଙ୍କାର ଦୁଇଟି ଚେକ୍‌ ଧରି ସହିଦଙ୍କ ଘରେ ପହଂଚିଲା ବେଳକୁ ଶୁଭମଙ୍କ ମା’ କାନ୍ଦିକାନ୍ଦି ଭୂଇଁରେ ଗଡ଼ି ଯାଉଥିଲେ । ପୁଅକୁ ହରାଇ ପାଗଳିପ୍ରାୟ ହୋଇ ଯାଇଥିଲେ ମା’ । ଠିଆ ହେବାର ଶକ୍ତି ହରାଇଥିଲେ ସହିଦଙ୍କ ମା’ । ମନ୍ତ୍ରୀଙ୍କ ସାଙ୍ଗରେ ତାଙ୍କର ବ୍ୟକ୍ତିଗତ ଫଟୋ ଉତୋଳନକାରୀ ଥିଲେ ।

ଫଟୋ ଉତୋଳନକାରୀଙ୍କୁ ଦେଖି ଶୁଭମଙ୍କ ମା’ ରାଗରେ ପାଚିଗଲେ । କହିଲେ-ୟେ ଲୋକ ଦେଖାଣିଆ ଦରଦପଣିଆ ବନ୍ଦ କର । ମୋ ପୁଅକୁ ଆଣିଦିଅ । ସହିଦଙ୍କ ମା’ଙ୍କ ଉଗ୍ରରୂପ ଦେଖି ସମସ୍ତେ ନିରବ ନିଶ୍ଚଳ ଥିଲାବେଳେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଫଟୋ ଉତୋଳନକାରୀ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ ।