ନିଖୋଜ ଯବାନଙ୍କ ଲାସ ମିଳିଲା ୩୮ ବର୍ଷ ପରେ

ସାମରିକ ମର୍ଯ୍ୟାଦା ସହକାରେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ୩୮ ବର୍ଷ ପରେ ବୁଧବାର ଅପରାହ୍ଣରେ ଉତରାଖଣ୍ଡର ହଦୱାନିରେ ପହଂଚିଛି ଲାନ୍ସ ନାଏକ ଚନ୍ଦ୍ରଶେଖରଙ୍କ ଦେହାବଶେଷ । ହଦୱାନି ହେଉଛି ଚନ୍ଦ୍ରଶେଖରଙ୍କ ସାତପୁରୁଷ ଭିଟାମାଟି । ୧୯୮୪ରେ ସିଆଚୀନ ବରଫାବୃତ ଅଂଚଳରେ ୧୯ ଜଣ ସାଥୀ ଯବାନଙ୍କ ସହିତ ଚନ୍ଦ୍ରଶେଖର ପାଟ୍ରୋଲିଂ ମିଶନରେ ଯାଇ ଦୁର୍ଘଟଣାର ଶିକାର ହୋଇଥିଲେ । ସିଆଚୀନ୍‌ ପାହାଡ଼ ଶୀର୍ଷରୁ ଗୋଟିଏ ବିରାଟ ବରଫ ଅତଡ଼ା ଚନ୍ଦ୍ରଶେଖରଙ୍କ ଗାଡ଼ି ଉପରେ ପଡ଼ିଥିଲା । ବରଫ ତଳେ ସମସ୍ତେ ପୋତି ହୋଇଗଲେ । ଖବର ପାଇ ସେନାବାହିନୀ ସେଠାରେ ପହଂଚି ତଲାସି ଅଭିଯାନ ଆରମ୍ଭ କରିଥିଲା । ମେସିନ୍‌ ସାହାଯ୍ୟରେ ବରଫ ସଫା କରାଗଲା । ଘଟଣାସ୍ଥଳରୁ କିଛି ଯବାନଙ୍କ ମୃତଦେହ ମିଳିଲା ତ କିଛି ଯବାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଗଲା । ମାତ୍ର ସବୁ ଉଦ୍ୟମ ସତ୍ତେ୍ୱ ଚନ୍ଦ୍ରଶେଖରଙ୍କ ପତ୍ତା ମିଳିଲାନି । ଘଟଣା ସମ୍ପର୍କରେ ତାଙ୍କ ପତ୍ନୀଙ୍କୁ ସବୁକିଛି ଜଣାଇ ଦିଆଯାଇଥିଲା; ପରିବାର ଲୋକେ ଚନ୍ଦ୍ରଶେଖରଙ୍କ ଦେହାବଶେଷ ନପାଇ ଚିନ୍ତାରେ ଥିଲେ।
ସେହିଦିନଠାରୁ ସେନାବାହିନୀ ମଧ୍ୟ ନିରବତାର ସହ ଚନ୍ଦ୍ରଶେଖରଙ୍କ ଅସ୍ତିତ୍ୱ ଖୋଜୁଥିଲା । ଏପରିକି ୨୦୨୨ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଚନ୍ଦ୍ରଶେଖରଙ୍କ ସମ୍ପର୍କରେ କୌଣସି ଖବର ସେନା ପାଖରେ ନଥିଲା । ହଠାତ ଅଗଷ୍ଟ ୧୬ ତାରିଖ ଦିନ ଚନ୍ଦ୍ରଶେଖରଙ୍କ ଦେହାବଶେଷ ଠାବ କରାଯାଇଥିଲା । ୧୭ ତାରିଖ ଦିନ ତାଙ୍କ ଦେହାବଶେଷକୁ ପରିବାର ଲୋକଙ୍କୁ ସମ୍ମାନର ସହିତ ହସ୍ତାନ୍ତର କରାଯାଇଥିଲା ।
ଚନ୍ଦ୍ରଶେଖରଙ୍କ ଘରକୁ ସଂଯୋଗ କରୁଥିବା ରାସ୍ତାକୁ ସଜାଇ ଦିଆଯାଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଚନ୍ଦ୍ରଶେଖରଙ୍କ ପ୍ରତି ଶେଷ ସମ୍ମାନ ଜଣାଇଥିଲେ । ଚନ୍ଦ୍ରଶେଖରଙ୍କ ବିଧବା ପତ୍ନୀ ଓ ତାଙ୍କର ଦୁଇଝିଅ ଅନ୍ତିମ ସମ୍ମାନ ଜଣାଇବା ପରେ ମରଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଇଥିଲା । ସେନା ପକ୍ଷରୁ ତୋପ ସଲାମୀ ପରେ ଚନ୍ଦ୍ରଶେଖରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।