ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଖାରଜ କଲେ ବମ୍ୱେ ହାଇକୋର୍ଟ

ମୁମ୍ୱାଇ: ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲାନି ମଧ୍ୟବର୍ତ୍ତୀକାଳୀନ ଜାମିନ । ବମ୍ବେ ହାଇକୋର୍ଟ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ବେଞ୍ଚ ସୋମବାର ଅପରାହ୍ନ ୩ଟାରେ ଏହି ଶୁଣାଣି କରିଛନ୍ତି।

ଗୋସ୍ୱାମୀଙ୍କ ତରଫରୁ ଆଡଭୋକେଟ ହରିଶ ସାଲଭେ ଏବଂ ଅବଦ ପୋଣ୍ଡା ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ଏହି ଜାମିନକୁ ବେଞ୍ଚ ଖାରଜ କରିଛି । ବେଞ୍ଚ ସ୍ପଷ୍ଟ କରିଛନ୍ତି ଯେ ହାଇକୋର୍ଟରେ ଏହି ମାମଲା ଧାରା ୪୩୯ ଅନୁଯାୟୀ ନିୟମିତ ଜାମିନ ମିଳିପାରିବ ନାହିଁ। ଯଦି ଏପରି ଆବେଦନ କରାଯାଏ, ତେବେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ମାମଲା ଦାଖଲ ହେବାର ଚାରି ଦିନ ମଧ୍ୟରେ ସମ୍ପୃକ୍ତ କୋର୍ଟ ଅର୍ଥାତ୍ ତଳ କୋର୍ଟ ଏ ସଂପର୍କରେ ସ୍ଥିର କରିବେ।

ଏହି ମାମଲାର ଶୁଣାଣି ପାଇଁ ବେଞ୍ଚ ଶନିବାର ମଧ୍ୟାହ୍ନ ୧୨ ଟାରୁ ୬ ଟା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ବୈଠକ କରିଥିଲେ। ଏହାପୂର୍ବରୁ ବେଞ୍ଚ ଗୁରୁବାର ଏବଂ ଶୁକ୍ରବାର ଦିନ ୩ ଟା ରୁ ୫ ଟା ପର୍ଯ୍ୟନ୍ତ ଶୁଣାଣି କରିଥିଲେ। ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ନୀତୀଶ ସାରଦା ଏବଂ ପ୍ରବୀଣ ରାଜେଶ ସିଂହ।

୨୦୧୮ ରେ ରାୟଗଡ ପୁଲିସ ଦ୍ୱାରା ପଞ୍ଜୀକୃତ ହୋଇଥିବା ମାମଲାରେ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି। ଅନଭୟ ନାୟକ ଏବଂ ତାଙ୍କ ମା’ କୁମୁଦ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ଆତ୍ମହତ୍ୟା ପୂର୍ବରୁ ଅନଭୟ ଲେଖିଥିବା ସୁଇସାଇଡ୍‌ ନୋଟ୍‌ର ଆଧାରରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଛି। ବକେୟା ଟଙ୍କା ନମିଳିବାରୁ ସେ ଓ ତାଙ୍କ ମା’ ଆତ୍ମହତ୍ୟା କରିଥିବା ସେଥିରେ ଲେଖା ହୋଇଥିଲା। ଏ ମାମଲାକୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ଏବେ ଏହାକୁ ପୁଣି ଖୋଲା ଯାଇଛି ଓ ଅର୍ଣ୍ଣବଙ୍କ ସମେତ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।