କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ବିଦେଶ ମନ୍ତ୍ରଣାଳୟ ବାହାରେ ବଡ଼ ଧରଣର ବିସ୍ଫୋରଣ ହୋଇଯାଇଛି । ମନ୍ତ୍ରଣାଳୟ କକ୍ଷରେ ତାଲିବାନ ଓ ଚୀନ ପ୍ରତିନିଧିମଣ୍ଡଳୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିଲା । ବିସ୍ଫୋରଣଟି ଗୋଟିଏ ଆତ୍ମଘାତୀ ହମ୍ଲା ଥିବାର ଅନୁମାନ କରାଯାଉଛି । ଉକ୍ତ ହମ୍ଲାରେ ପ୍ରାୟ ୨୦ ଜଣଙ୍କର ପ୍ରାଣହାନି ଘଟିଥିବା କୁହାଯାଉଛି । କିନ୍ତୁ କାବୁଲ ସୁରକ୍ଷା ବିଭାଗ ମୁଖପାତ୍ର ଖାଲିଦ ଜାଦରାନଙ୍କ ସୂଚନା ମୁତାବକ ମୃତକଙ୍କ ସଂଖ୍ୟା ତା’ଠାରୁ ଢେର ଅଧିକ ହେବ ।
ଖବର ପାଇଁ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଂଚି ତଲାସି ଅଭିଯାନ ଆରମ୍ଭ କରିଛି । ଗତ ଡିସେମ୍ବର ୧୨ ତାରିଖ ଦିନ ଚିନି ହୋଟେଲ ନାମକ ଲୋକପ୍ରିୟ ରେଷ୍ଟୁରାଂଟ ଓ ଗେଷ୍ଟ୍ ହାଉସ୍ ଉପରେ ହମ୍ଲା କରିଥିଲେ ତିନିଜଣ ଆତଙ୍କୀ । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ସଂପୃକ୍ତ ତିନିଜଣ ଆତଙ୍କୀ ପ୍ରାଣ ହରାଇଥିଲେ । ତେବେ ଉକ୍ତ ହମ୍ଲାରେ ଦୁଇଜଣ ବିଦେଶୀ ନାଗରିକ ଆହତ ହୋଇଥିଲେ । ହମ୍ଲା ସମୟରେ ହୋଟେଲରେ କିଛି ଚିନି ନାଗରିକ ମହଜୁଦ ଥିଲେ ।
ଜାନୁଆରୀ ପହିଲା ଦିନ କାବୁଲର ଏକ ସାମରିକ ବିମାନ ଘାଟି ଉପରେ ହମ୍ଲା ହୋଇଥିଲା । ଉକ୍ତ ହମ୍ଲାରେ ୮ ଜଣ ଲୋକ ଗୁରୁତର ଆହତ ହୋଇଥିଲେ । ଡିସେମ୍ବର ୨୯ ତାରିଖରେ ତାଲୁକନ୍ ପ୍ରଦେଶରେ ଆତଙ୍କୀ ହମ୍ଲା ହୋଇଥିଲା, ପରିଣାମ ସ୍ୱରୂପ ଚାରିଜଣ ଲୋକ ଆହତ ହୋଇଥିଲେ । ଆଫଗାନିସ୍ତାନସ୍ଥିତ ଭାରତୀୟ ଦୂତାବାସ ଉପରେ ଆତଙ୍କୀ ସଂଗଠନର କ୍ରୁର ଦୃଷ୍ଟି ରହିଛି ।
୨୦୧୩ରେ ଜଲାଲାବାଦସ୍ଥିତ ଦୂତାବାସ ଉପରେ ତିନିଜଣ ଆତଙ୍କୀ ହମ୍ଲା କରିଥିଲେ । ଉକ୍ତ ହମ୍ଲାରେ କିଛି ଆଫଗାନ୍ ଯବାନ ପ୍ରାଣ ହରାଇଥିଲେ । ସେତେବେଳେ ଭାରତୀୟ ରାଜଦୂତ ଅମର ସିହ୍ନା ପ୍ରାଣ ହରାଇଥିବା ଲୋକଙ୍କ ପରିଜନ ଓ ଆହତ ଲୋକଙ୍କୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ।