ବେଙ୍ଗାଲୁରୁ: କର୍ଣ୍ଣାଟକର କଲାବୁର୍ଗିରେ ୬୪ ବର୍ଷୀୟ ବିଜେପି ନେତା ମଲ୍ଲିକାର୍ଜୁନ ମୁଥ୍ୟାଲଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତଦେହକୁ ତାଙ୍କ ଦୋକାନ ଭିତରୁ ଉଦ୍ଧାର କରିଛି ପୁଲିସ । ଦୋକାନର ଟଙ୍କା ବାକ୍ସରେ କିଛି ଟଙ୍କା ନଥିବାରୁ ପୁଲିସ ମାମଲାକୁ ହତ୍ୟା ଓ ଲୁଟ ଭାବରେ ଧରିନେଇଛି । ନିକଟରେ ଜେଡିଏସ୍ ଛାଡ଼ି ମୁଥ୍ୟାଲ ବିଜେପିରେ ମିଶିଥିଲେ । ଦିନକ ପୂର୍ବରୁ ମୁଥ୍ୟାଲ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।
ପୁଲିସ ବିଭିନ୍ନ ଦୃଷ୍ଟିରୁ ଖୋଳତାଡ଼ ଆରମ୍ଭ କରିଛି । ମୃତକଙ୍କ ପୁଅ ଭେଙ୍କଟେଶ କହିଛନ୍ତି, ଦୋକାନରେ ଏକାଧିକବାର ଚୋରି ହେବାରୁ ବାପା ଅଗତ୍ୟା ଦୋକାନରେ ଶୋଉଥିଲେ । ତେଣୁ ବାପାଙ୍କୁ ନିର୍ମମ ହତ୍ୟା ପରେ ଲୁଟେରାମାନେ ଟଙ୍କା ଓ କିଛି ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଧରି ପଳାୟନ କରିଥିବା ସନ୍ଦେହ କରିଛନ୍ତି ଭେଙ୍କଟେଶ । ପୁଲିସ ସୂଚନା ମୁତାବକ ମୃତକ ମଲ୍ଲିକାର୍ଜୁନ ଏକ ଇଲେକ୍ଟ୍ରୋନିକ୍ସ ଦୋକାନର ମାଲିକ । ସୋମବାର ରାତିରେ ସେ ତାଙ୍କ ଦୋକାନ ଭିତରେ ଶୋଇଥିଲେ । ମଙ୍ଗଳବାର ସକାଳେ ଜଣାପଡ଼ିଲା ଯେ ତାଙ୍କୁ କେହି ମାରିଦେଇଛି । ମୃତକଙ୍କର ଯୌନାଙ୍ଗରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତାଙ୍କୁ ପଥରରେ ଆକ୍ରମଣ କରାଯାଇଛି । ବେକ ଚିପି ମାରିବା ପାଇଁ ଦଉଡ଼ି ବ୍ୟବହାର କରାଯାଇଥିବାର ସୁରାକ୍ ମିଳିଛି । ମୃତଦେହକୁ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ।