ନୂଆଦିଲ୍ଲୀ: ସାରା ବିଶ୍ୱରେ ଶାନ୍ତିର ପ୍ରତୀକ ଭାବରେ ପରିଚିତ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ବିଶ୍ୱବାସୀଙ୍କ ସନ୍ଦେହ ଦୃଷ୍ଟିକୁ ଆସିଛନ୍ତି। ଏପ୍ଷ୍ଟିନ୍ ଫାଇଲ୍ସ’ ସାର୍ବଜନୀନ ହେବା ପରଠାରୁ ବିଶ୍ୱ ରାଜନୀତି ଏବଂ ଗ୍ଲାମର ଜଗତରେ ଚହଳ ପଡ଼ିଯାଇଛି। ଆମେରିକା ସରକାରଙ୍କ ପରିବେଷିତ ଜେଫ୍ରି ଏପଷ୍ଟିନ୍ଙ୍କ ଗୁପ୍ତ ଫାଇଲରେ ନାମ ଆସିବା ପରେ ସୃଷ୍ଟି ହୋଇଥିବା ଉତେଜନା ମଧ୍ୟରେ, ଏବେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଦଲାଇଲାମାଙ୍କ କାର୍ଯ୍ୟାଳୟ ଏକ ସରକାରୀ ସ୍ପଷ୍ଟୀକରଣ ଜାରି କରିଛି। ଦଲାଇଲାମାଙ୍କ କାର୍ଯ୍ୟାଳୟ ଗଣମାଧ୍ୟମ ରିପୋର୍ଟ ଏବଂ ସୋସିଆଲ ମିଡିଆ ଦାବି ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି, ଯେଉଁଥିରେ ତାଙ୍କ ନାମ କୁଖ୍ୟାତ ଯୌନ ଅପରାଧୀ ଏବଂ ମାନବ ଚାଲାଣକାରୀ ଜେଫ୍ରି ଏପ୍ଷ୍ଟାଇନଙ୍କ ସହିତ ଯୋଡାଯାଉଛି। ଧର୍ମଶାଳାରୁ ଜାରି ପ୍ରେସ୍ ରିଲିଜ୍ରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ପରମ ପବିତ୍ର ଚତୁର୍ଦ୍ଦଶ ଦଲାଇଲାମା କେବେ ବି ଏପଷ୍ଟିନ୍ଙ୍କୁ ଭେଟି ନାହାଁନ୍ତି।
ଜେଫ୍ରି ଏପଷ୍ଟିନ୍ ନ୍ୟୁୟର୍କର ଜଣେ ହାଇ-ପ୍ରୋଫାଇଲ୍ କଳଙ୍କିତ ବ୍ୟକ୍ତି। ୨୦୦୫ ରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିଥିଲା। ୨୦୧୯ ରେ ତାଙ୍କୁ ସେକ୍ସ ଟ୍ରାଫିକିଂ ଅଭିଯୋଗରେ ପୁନର୍ବାର ଗିରଫ କରାଯାଇଥିଲା, କିନ୍ତୁ କଷ୍ଟଡିରେ ଥିବା ସମୟରେ ସେ ଆତ୍ମହତ୍ୟା କରିଥିଲେ। ଏପଷ୍ଟିନ୍ ତାଙ୍କର ହାଇ-ପ୍ରୋଫାଇଲ୍ ପାର୍ଟି ପାଇଁ ଜଣାଶୁଣା ଥିଲେ, ଯେଉଁଥିରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିମାନେ ଯୋଗ ଦେଉଥିଲେ। ଏପଷ୍ଟିନ୍ ଫାଇଲ୍ସରେ ଅନେକ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ନାମ ଏବଂ ଫଟୋ ପ୍ରକାଶ ପାଇଛି, ଯେଉଁଥିରେ ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ୍ ହକିଂ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଂଟନ୍ ଏବଂ ଡୋନାଲ୍ଡୋ ଟ୍ରମ୍ପଙ୍କ ନାଁ ରହିଛି। ସେଭଳି ପପ୍ ଷ୍ଟାର ମାଇକେଲ୍ ଜ୍ୟାକସନ୍ ନାଁ ମଧ୍ୟ ଏପଷ୍ଟିନ୍ ଫାଇଲରୁ ଜଣାଯାଇଛି।
ଦଲାଇଲାମାଙ୍କ କାର୍ଯ୍ୟାଳୟ ଗଣମାଧ୍ୟମକୁ ଅପିଲ୍ କରିଛି, କୌଣସି ଠୋସ୍ ପ୍ରମାଣ ବିନା ଦଲାଇଲାମାଙ୍କ ନାମ ଏପଷ୍ଟାଇନ୍ ଫାଇଲ୍ ସହିତ ଲିଙ୍କ୍ ନ କରନ୍ତୁ। ରିପୋର୍ଟ ଗୁଡ଼ିକ ଦଲାଇ ଲାମାଙ୍କୁ ଏହି ନେଟୱାର୍କ ସହିତ ମିଥ୍ୟା ଭାବରେ ଲିଙ୍କ୍ କରିବାକୁ ଚେଷ୍ଟା କରୁଛି। ବର୍ତମାନ, ଧର୍ମଶାଳା ପ୍ରଶାସନ ସମଗ୍ର ମାମଲା ଉପରେ ନଜର ରଖିଛି। ଯେପରି ଆଧ୍ୟାତ୍ମିକ ଗୁରୁଙ୍କ ବିଶ୍ୱ ପ୍ରତିଷ୍ଠା କ୍ଷୁର୍ଣ୍ଣ ନହୁଏ।