ଜୟପୁର: ଶେଷକୁ ଏଇଆ ଦେଖିବାକୁ ଥିଲା । ଭାଗ୍ୟର ବିଡମ୍ବନା । ଜାତିଆ ବର ଓ କନ୍ୟା ଅଭାବ ଦୂର କରିବା ପାଇଁ ରାଜସ୍ଥାନର ମାହେଶ୍ୱରୀ ସମାଜ ପକ୍ଷରୁ ତୃତୀୟ ସନ୍ତାନକୁ ପ୍ରୋତ୍ସାହନ ଦିଆଯାଇଛି । ପରିବାରର ତୃତୀୟ ସନ୍ତାନ ନାମରେ ୫୦ ହଜାର ଟଙ୍କା ସ୍ଥାୟୀ ଜମା ରଖିବାକୁ ମାହେଶ୍ୱରୀ ସମାଜ ଘୋଷଣା କରିଛି ।
ଗତ କିଛିବର୍ଷ ଧରି ମାହେଶ୍ୱରୀ ସମାଜରେ ବିବାହ ପାଇଁ ପୁଅ କି ଝିଅ ମିଳୁନାହାନ୍ତି । ସରକାରଙ୍କ ପରିବାର ନିୟୋଜନ ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସଂକଟରୁ ନିସ୍ତାର ପାଇଁ ପରିବାର ବୃଦ୍ଧି ଜରୁରୀ ହୋଇପଡ଼ିଛି । ପୂର୍ବରୁ ମାହେଶ୍ୱରୀ ସମାଜ ପରିବାରର ତୃତୀୟ ସନ୍ତାନଟି କନ୍ୟା ହେଲେ ସ୍ଥାୟୀ ଜମା କରିବାକୁ ନିଷ୍ପତି ନେଇଥିଲା ।
କିନ୍ତୁ ପରେ ଉଭୟ ପୁଅ ଅବା ଝିଅ ପାଇଁ ପ୍ରୋତ୍ସାହନ ରାଶି ରଖାଯାଇଛି । ଆଜି ଯୋଉ ଦଶା ମାହେଶ୍ୱରୀ ସମାଜ ଉପରେ ପଡ଼ିଛି; ଆଗାମୀ ଦିନରେ ଅନ୍ୟ ଜାତିକୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିବ । ତା’ ପୂର୍ବରୁ ଆଶୁ ପ୍ରତିକାର କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଗେଇ ଆସିବା ଜରୁରୀ ।