ତାମିଲନାଡୁରେ ୪- ଲେନ୍ (ଏନଏଚ୍ – ୮୭) ନିର୍ମାଣକୁ କ୍ୟାବିନେଟ୍ ଅନୁମୋଦନ

କେନ୍ଦ୍ର କ୍ୟାବିନେଟ୍ ତାମିଲନାଡୁରେ ୪ – ଲେନ୍ ପରମକୁଡି – ରାମନାଥପୁରମ୍ ସେକ୍ସନ୍ (୪୬.୭ କିଲୋମିଟର) ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି । ଏହି ପ୍ରକଳ୍ପଟି ୧୮୫୩ କୋଟି ଟଙ୍କା ମୋଟ ପୁଞ୍ଜି ବ୍ୟୟରେ ହାଇବ୍ରିଡ୍ ଆନୁଇଟି ମୋଡ୍ (ଏଚଏଏମ) ରେ ବିକଶିତ ହେବ ।

ବର୍ତ୍ତମାନ, ମଦୁରାଇ, ପରମକୁଡି, ରାମନାଥପୁରମ୍, ମଣ୍ଡପମ୍, ରାମେଶ୍ୱରମ୍ ଏବଂ ଧନୁଷକୋଡି ମଧ୍ୟରେ ସଂଯୋଗୀକରଣ ପୂର୍ବରୁ ଥିବା ୨- ଲେନ୍ ଜାତୀୟ ରାଜପଥ ୮୭ (ଏନଏଚ୍ – ୮୭) ଏବଂ ସମ୍ପୃକ୍ତ ରାଜ୍ୟ ରାଜପଥ ଉପରେ ନିର୍ଭରଶୀଳ, ଯେଉଁ ଠାରେ ଅଧିକ ଟ୍ରାଫିକ୍ ଯୋଗୁଁ ବହୁତ ଅଧିକ ଭିଡ଼ ଅନୁଭୂତ ହୋଇଥାଏ, ବିଶେଷ କରି କରିଡର ସହିତ ଘନ ଜନବହୁଳ ସ୍ଥାନ ଏବଂ ପ୍ରମୁଖ ସହରରେ ଅଧିକ ଭିଡ ଦେଖିବାକୁ ମିଳେ । ଏହି ଭଳି ଆହ୍ଵାନର ମୁକାବିଲା ପାଇଁ, ପ୍ରକଳ୍ପ ପରମକୁଡିରୁ ରାମନାଥପୁରମ ପର୍ଯ୍ୟନ୍ତ ପ୍ରାୟ ୪୬.୭  କିଲୋମିଟର ଏନଏଚ୍ – ୮୭ କୁ ୪ – ଲେନ୍ ବିନ୍ୟାସରେ ଉନ୍ନତ କରିବ । ଏହା ପୂର୍ବରୁ ରହିଥିବା ଏହି କରିଡରରେ ଭିଡକୁ କମ୍ କରିବ, ସୁରକ୍ଷାରେ ଉନ୍ନତି ଆଣିବ ଏବଂ ପରମକୁଡି, ସଥିରାକୁଡି, ଅଚୁନ୍ଦନଭୟାଲ ଏବଂ ରାମନାଥପୁରମ ଭଳି ଦ୍ରୁତ ଗତିରେ ବଢ଼ୁଥିବା ସହରଗୁଡ଼ିକର ଗତିଶୀଳ ଆବଶ୍ୟକତାକୁ ପୂରଣ କରିବ ।

ପ୍ରକଳ୍ପ ସଂରଚନା ୫ଟି ପ୍ରମୁଖ ଜାତୀୟ ରାଜପଥ (ଏନଏଚ୍  – ୩୮, ଏନଏଚ୍- ୮୫, ଏନଏଚ୍ – ୩୬, ଏନଏଚ୍ – ୫୩୬,  ଏବଂ ଏନଏଚ୍ – ୩୨) ଏବଂ ୩ଟି ରାଜ୍ୟ ରାଜପଥ (ଏସଏଚ୍ – ୪୭,  ଏସଏଚ୍ – ୨୯, ଏସଏଚ୍  – ୩୪) ସହିତ ସମନ୍ୱିତ ହୋଇଛି, ଯାହା ଦକ୍ଷିଣ ତାମିଲନାଡୁର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ଲଜିଷ୍ଟିକ୍ସ ନୋଡଗୁଡ଼ିକୁ ନିର୍ବିଘ୍ନ ସଂଯୋଗ ପ୍ରଦାନ କରିଥାଏ । ଏହା ସହିତ, ଅପଗ୍ରେଡ୍ କରିଡର ୨ଟି ପ୍ରମୁଖ ରେଳ ଷ୍ଟେସନ (ମଦୁରାଇ ଏବଂ ରାମେଶ୍ୱରମ୍), ଗୋଟିଏ ବିମାନବନ୍ଦର (ମଦୁରାଇ), ଏବଂ ୨ଟି କ୍ଷୁଦ୍ର ବନ୍ଦର (ପମ୍ବନ ଏବଂ ରାମେଶ୍ୱରମ୍) ସହିତ ସଂଯୋଗ କରି ମଲ୍ଟି- ମୋଡାଲ୍ ସମନ୍ୱୟକୁ ବୃଦ୍ଧି କରିବ, ଯାହା ଦ୍ୱାରା ସମଗ୍ର ଅଞ୍ଚଳରେ ସାମଗ୍ରୀ ଏବଂ ଯାତ୍ରୀମାନଙ୍କର ଗମନାଗମନ ଦ୍ରୁତ ଗତିରେ ହୋଇପାରିବ ।

ଏହା ସମ୍ପୂର୍ଣ୍ଣ ହେବା ପରେ, ପରମକୁଡି- ରାମନାଥପୁରମ ସେକ୍ସନ କ୍ଷେତ୍ରୀୟ ଅର୍ଥନୈତିକ ଅଭିବୃଦ୍ଧିରେ ମହତ୍ତ୍ଵପୂର୍ଣ ଭୂମିକା ନିର୍ବାହ କରିବ, ପ୍ରମୁଖ ଧାର୍ମିକ ଏବଂ ଆର୍ଥିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ସଂଯୋଗକୁ ସୁଦୃଢ଼ ​​କରିବା, ରାମେଶ୍ୱରମ ଏବଂ ଧନୁଷକୋଡିକୁ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ବାଣିଜ୍ୟ ଏବଂ ଶିଳ୍ପ ବିକାଶ ପାଇଁ ନୂତନ ରାସ୍ତା ଖୋଲିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ପ୍ରକଳ୍ପ ପ୍ରତ୍ୟକ୍ଷ ଭାବେ ପ୍ରାୟ 8.4 ଲକ୍ଷ ବ୍ୟକ୍ତି-ଦିବସ ନିଯୁକ୍ତି ଏବଂ ପରୋକ୍ଷ ଭାବରେ 10.45 ଲକ୍ଷ ବ୍ୟକ୍ତି -ଦିବସ ନିଯୁକ୍ତି ସୃଷ୍ଟି କରିବ, ଏବଂ ଆଖପାଖ ଅଞ୍ଚଳରେ ଅଭିବୃଦ୍ଧି, ବିକାଶ ଏବଂ ସମୃଦ୍ଧିର ନୂତନ ରାସ୍ତା ଖୋଲିବ ।