ଲାଇନ୍ କ୍ଷମତା ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟି ଆଜି ଭାରତୀୟ ରେଳର ଦୁଇଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଯାହା ଦ୍ୱାରା ଯାତ୍ରୀ ଏବଂ ସାମଗ୍ରୀ ଉଭୟର ସୁଗମ ଏବଂ ଦ୍ରୁତ ପରିବହନ ସୁନିଶ୍ଚିତ ହୋଇପାରିବ ।
ଭାରତୀୟ ରେଳର ଦୁଇଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ, ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି:
1. ରତଲାମ୍- ନଗଡା ତୃତୀୟ ଏବଂ ଚତୁର୍ଥ ଲାଇନ୍
2. ୱାର୍ଦ୍ଧା – ବଲହରଶାହ ଚତୁର୍ଥ ଲାଇନ୍
ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ମୂଲ୍ୟ ୩୩୯୯ କୋଟି ଟଙ୍କା (ପ୍ରାୟ) ଏବଂ ଏହା ୨୦୨୯-୩୦ ସୁଦ୍ଧା ସମାପ୍ତ ହେବ । ଏହି ପ୍ରକଳ୍ପଗୁଡ଼ିକ ମଲ୍ଟି-ମୋଡାଲ ସଂଯୋଗୀକରଣର ପାଇଁ ପ୍ରଧାନମନ୍ତ୍ରୀ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଫଳାଫଳ ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି। ଏହା ଲୋକ, ସାମଗ୍ରୀ ଏବଂ ସେବାର ଚଳାଚଳରେ ସୁଗମତା ପ୍ରଦାନ କରିବ ।
ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ରାଜ୍ୟର ଚାରୋଟି ଜିଲ୍ଲାକୁ କଭର କରୁଥିବା ଦୁଇଟି ପ୍ରକଳ୍ପ ଭାରତୀୟ ରେଳବାଇର ବିଦ୍ୟମାନ ନେଟୱାର୍କକୁ ପ୍ରାୟ ୧୭୬ କିଲୋମିଟର ବୃଦ୍ଧି କରିବ । ପ୍ରସ୍ତାବିତ ମଲ୍ଟି-ଟ୍ରାକିଂ ପ୍ରକଳ୍ପ ପ୍ରାୟ ୧୯.୭୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୭୮୪ ଗ୍ରାମକୁ ସଂଯୋଗୀକରଣ ବୃଦ୍ଧି କରିବ ।
କୋଇଲା, ସିମେଣ୍ଟ, କ୍ଲିଙ୍କର୍, ଜିପସମ୍, ଫ୍ଲାଏ ଆଶ୍, କଣ୍ଟେନର, କୃଷି ସାମଗ୍ରୀ ଏବଂ ପେଟ୍ରୋଲିୟମ୍ ଉତ୍ପାଦ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ । କ୍ଷମତା ବୃଦ୍ଧି କାର୍ଯ୍ୟ ଯୋଗୁଁ ୧୮.୪୦ ଏମଟିପିଏ (ପ୍ରତିବର୍ଷ ମିଲିୟନ ଟନ୍) ଅତିରିକ୍ତ ମାଲ ପରିବହନ ହେବ । ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ସଂରକ୍ଷଣକାରୀ ପରିବହନ ପଦ୍ଧତି ହୋଇଥିବାରୁ, ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ଏବଂ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚକୁ ହ୍ରାସ କରିବାରେ ସାହାଯ୍ୟ କରିବ । ଏହା ସହିତ ତୈଳ ଆମଦାନୀ (୨୦ କୋଟି ଲିଟର) କମ୍ ହେବ ଏବଂ ଅଙ୍ଗାରକାମ୍ଳ ନିର୍ଗମନ (୯୯ କୋଟି କିଲୋଗ୍ରାମ) ହ୍ରାସ କରିବ ଯାହା ୪ କୋଟି ଗଛ ଲଗାଇବା ସହିତ ସମାନ ।
ନିର୍ମାଣ ସମୟରେ ପ୍ରକଳ୍ପଗୁଡ଼ିକ ପ୍ରାୟ ୭୪ ଲକ୍ଷ ମାନବ ଦିବସ ପାଇଁ ସିଧାସଳଖ ନିଯୁକ୍ତି ସୃଷ୍ଟି କରିବ ।
ଏହି ପଦକ୍ଷେପଗୁଡ଼ିକ ଯାତ୍ରା ସୁବିଧାକୁ ଉନ୍ନତ କରିବ । ଲଜିଷ୍ଟିକ୍ ଖର୍ଚ୍ଚ, ତୈଳ ଆମଦାନୀ ହ୍ରାସ କରିବ ଏବଂ ସ୍ଥାୟୀ ତଥା ଦକ୍ଷ ରେଳ କାର୍ଯ୍ୟକୁ ସମର୍ଥନ କରି ଅଙ୍ଗାରକାମ୍ଳ ନିର୍ଗମନକୁ କମ୍ କରିବ । ପ୍ରକଳ୍ପଗୁଡ଼ିକ କଣ୍ଟେନର, କୋଇଲା, ସିମେଣ୍ଟ, କୃଷି ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ମାର୍ଗଗୁଡ଼ିକରେ ଲାଇନ କ୍ଷମତା ବୃଦ୍ଧି କରି ଲଜିଷ୍ଟିକ୍ ଦକ୍ଷତାକୁ ମଧ୍ୟ ବୃଦ୍ଧି କରିବ। ଏହି ଉନ୍ନତିଗୁଡ଼ିକ ଯୋଗାଣ ଶୃଙ୍ଖଳକୁ ବ୍ୟବସ୍ଥିତ କରିବ, ଯାହା ଦ୍ୱାରା ଆର୍ଥିକ ଅଭିବୃଦ୍ଧିକୁ ସହଜ କରିବ ।
ବର୍ଦ୍ଧିତ ଲାଇନ କ୍ଷମତା ଗତିଶୀଳତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ, ଯାହା ଫଳରେ ଭାରତୀୟ ରେଳବାଇର କାର୍ଯ୍ୟଦକ୍ଷତା ଏବଂ ସେବା ନିର୍ଭରଯୋଗ୍ୟତାରେ ଉନ୍ନତି ଆସିବ । ଏହି ବହୁ-ଟ୍ରାକିଂ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକୁ ସୁଗମ କରିବା ଏବଂ ଭିଡ଼ ହ୍ରାସ କରିବା ପାଇଁ ପ୍ରସ୍ତୁତ । ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତର ଦୃଷ୍ଟିକୋଣ ସହିତ ପ୍ରସ୍ତୁତ, ଯାହା ବ୍ୟାପକ ବିକାଶ ଦ୍ୱାରା ଏହି ଅଞ୍ଚଳର ଲୋକମାନଙ୍କୁ “ଆତ୍ମନିର୍ଭର” କରିବ ଏବଂ ସେମାନଙ୍କର ନିଯୁକ୍ତି / ସ୍ୱନିଯୁକ୍ତି ସୁଯୋଗ ବୃଦ୍ଧି କରିବ ।