କ୍ୟାନସର୍‌ ନେଇଗଲା ଆଖି, ଲଗାଇ ଦେଲେ ଟର୍ଚ୍ଚ

ଅନ୍ଧାରରେ ଯେକୌଣସି ଦ୍ରବ୍ୟକୁ ଆରାମରେ ଦେଖିପାରିବେ….

ସନ୍‌ ଡିଆଗୋ : ଦକ୍ଷିଣ କାଲିଫର୍ଣ୍ଣିଆର ଜଣେ ଇଞ୍ଜିନିୟର । ନାମ ବ୍ରାୟନ ଷ୍ଟାନଲେ । ଭାଇ ସାହେବ ଜଣେ ପ୍ରୋଟୋଟାଇପ୍‌ ମେକାନିଷ୍ଟ । କିଛିଦିନ ତଳେ ସେ ଏକ ଦୁର୍ଘଟଣାର ଶିକାର ହେଲେ । କ୍ୟାନସର କାରଣରୁ ତାଙ୍କ ବାମ ଚକ୍ଷୁ ଦୃଷ୍ଟିଶକ୍ତି ହରାଇଲା । ଆଖି ଥାଇ ନଥିବା ଭଳି ଲାଗିଲା । ତହୁଁ ବ୍ରାୟନ ଏକ ସାହସିକତାର କାମ କଲେ । ସେ ହରାଇଥିବା ଚକ୍ଷୁ ସ୍ଥାନରେ ଫ୍ଲାଶଲାଇଟ୍‌ ବା ଟର୍ଚ୍ଚ ଖଞ୍ଜିଦେଲେ ।

ସେ ନିଜେ ହିଁ ଉକ୍ତ ଟର୍ଚ୍ଚଟିକୁ ତିଆରି କରିଥିଲେ । ତା’ପରେ ସେ ଭିନ୍ନଭିନ୍ନ ରଙ୍ଗର ଟର୍ଚ୍ଚ ତିଆରି କରିଚାଲିଲେ । ତାଙ୍କ ଚକ୍ଷୁ କୋଟରରେ ଖଞ୍ଜା ଯାଇଥିବା ଟର୍ଚ୍ଚ ଆଲୋକ ଏତେ ଶକ୍ତିଶାଳୀ ଥିଲା ଯେ ସାରା କୋଠରୀକୁ ଆଲୋକମୟ କରୁଥିଲା । ସେ ତିଆରି କରିଥିବା ଅନନ୍ୟ ଟର୍ଚ୍ଚର ନାମ ରଖିଲେ ‘ଟାଇଟେନିୟମ ସ୍କଲ ଲ୍ୟାମ୍ପ’ । ବ୍ରାୟନ ନିଜ ଅନୁଭୂତି ବଖାଣିବାକୁ ଯାଇ କହିଛନ୍ତି, ଆପଣମାନେ ଟାଇଟେନିୟମ ସ୍କଲ ଲ୍ୟାମ୍ପ ଜରିଆରେ ଅକ୍ଷର ପଢ଼ିପାରିବେ ।

ଘନଜଙ୍ଗଲ ଭିତରେ ଚାଲିପାରିବେ । ଅନ୍ଧାରରେ ଯେକୌଣସି ଦ୍ରବ୍ୟକୁ ଆରାମରେ ଦେଖିପାରିବେ । ଯେକୌଣସି ସାମାନ୍ୟ ଜିନିଷକୁ ବ୍ୟବହାର କରି ଆଶ୍ଚର୍ଯ୍ୟଜନକ ସାମଗ୍ରୀ ତିଆରି କରିବାର କଳା ଆମକୁ ଶିଖାଇଛନ୍ତି ବ୍ରାୟନ । କିଛି ଲୋକ ବ୍ରାୟନଙ୍କ ନୂଆ ଆଖିକୁ ସାଇବର୍ଗ ଆଖି କହୁଛନ୍ତି ତ କେହି ଟର୍ମିନେଟର ଚଳଚ୍ଚିତ୍ରର ଅର୍ନାଲ୍ଡ ଚରିତ୍ର ସହ ତୁଳନା କରୁଛନ୍ତି ।

ବ୍ରାୟନ ପ୍ରୋସ୍ଥେଟିକ୍‌ ଇଲେକ୍‌ଟ୍ରୋନିକ୍ସ ବ୍ୟବହାର କରିଛନ୍ତି । ତାଙ୍କ ଅଙ୍ଗୁଳି ଇଶାରାରେ ଆଖିରେ ଲାଗିଥିବା ଡିଭାଇସ୍‌ ଜଳିଉଠେ । ଅଙ୍ଗୁଳି ଇଶାରାରେ ଡିଭାଇସ୍‌ ଲିଭିଯାଏ । ଥରେ ବ୍ୟାଟେରୀ ଚାର୍ଜ ହୋଇଗଲେ, ୨୦ ଘଂଟା କାମ କରିଥାଏ । ଡିଭାଇସ୍‌ ଜଳିବା ସମୟରେ ଗରମ ହୁଏ ନାହିଁ । ସବୁ ଦିଗରୁ ଡିଭାଇସ୍‌ ସୁରକ୍ଷିତ ଓ ଆରାମଦାୟକ ।