କାନପୁର: ବୟସାଧିକ କାରଣରୁ ମୋତିଆବିନ୍ଦୁ ଅପରେସନ୍ ଦରକାର ପଡ଼ିଥାଏ । ମାତ୍ର ଡାକ୍ତରଙ୍କ ଖାମଖିଆଲି କାରଣରୁ ଲୋକମାନଙ୍କ ପାଇଁ ମୋତିଆବିନ୍ଦୁ ଅପରେସନ୍ ଯନ୍ତ୍ରଣାଦାୟକ ସାବ୍ୟସ୍ତ ହୋଇଛି । ସୂଚନା ମୁତାବକ ନଭେମ୍ବର ୨ ତାରିଖରେ କାନପୁରସ୍ଥିତ ଆରାଧ୍ୟା ନର୍ସିଂହୋମରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରେ ଶିବରାଜପୁର ଅଂଚଳର ୬ ଜଣ ପୁରୁଷ ଓ ମହିଳାଙ୍କର ମୋତିଆବିନ୍ଦୁ ଅପରେସନ୍ କରାଯାଇଥିଲା ।
ଅପରେସନ୍ ପରେ ଡାକ୍ତରଖାନା ପକ୍ଷରୁ ସଂପୃକ୍ତ ୬ ଜଣଙ୍କୁ ସେମାନଙ୍କ ଗ୍ରାମରେ ଛାଡ଼ି ଦିଆଯାଇଥିଲା । ଘରକୁ ଫେରିବା ପରେ ରୋଗୀମାନେ ଆଖିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ସେମାନଙ୍କ ଆଖିରୁ ପାଣି ବାହାରିଥିଲା । ପୀଡ଼ିତମାନେ ଡାକ୍ତରଖାନାରେ ପହଂଚି ଅଭିଯୋଗ କରିବାରୁ ସେମାନଙ୍କ ହାତରେ କିଛି ଔଷଧ ଧରାଇ ବିଦା କରି ଦିଆଗଲା ।
ଔଷଧ ଖାଇବା ପରେ ମଧ୍ୟ ସେମାନଙ୍କ ଦୃଷ୍ଟିଶକ୍ତି ଫେରିଲାନି । ଏବେ ପୀଡ଼ିତମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଶୁଣିବାକୁ ମିଳିଛି, ମୁଖ୍ୟମନ୍ତ୍ରୀଙ୍କ ଅନୁମତି କ୍ରମେ ନର୍ସିଂହୋମରେ ଚକ୍ଷୁ ଶିବିର ଆୟୋଜନ କରାଯାଇଥିଲା ।