ନୂଆଦିଲ୍ଲୀ: ସିବିଆଇ ତଦନ୍ତ ଉପରେ ଅନେକ ରାଜ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ ପଶି ତଦନ୍ତ କରିପାରିବନି। ତଦନ୍ତ କରିବାକୁ ହେଲେ ପ୍ରଥମେ ସିବିଆଇକୁ ରାଜ୍ୟର ଅନୁମତି ନେବାକୁ ହେବ। କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ସମେତ କଂଗ୍ରେସ ଶାସିତ ରାଜ୍ୟ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଅନ୍ୟପଟେ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସଂପୃକ୍ତ ରାଜ୍ୟ ତଦନ୍ତ ଅନୁମତି ନଦେଲେ ସିବିଆଇ ସେହି ରାଜ୍ୟ ଉପରେ ତଦନ୍ତ ନେଇ ନିଜ ଅଧିକାର ଜାହିର କରିପାରିବ ନାହିଁ ବୋଲି ଦେଶର ସର୍ବୋଚ୍ଚ କୋର୍ଟ କହିଛନ୍ତି। ସଂଘୀୟ ବ୍ୟବସ୍ଥାରେ ଡିଏସପିଇ ଆକ୍ଟର ଧାରା ୬ରେ ସମାନ କଥା ଦର୍ଶାଯାଇଛି ବୋଲି କୋର୍ଟ କହିଛନ୍ତି।
ଏହି ଧାରା ୬ ଅନୁଯାୟୀ କେନ୍ଦ୍ରକୁ ସଂପୃକ୍ତ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ କୌଣସି ରାଜ୍ୟ ଅଧୀନରେ ଥିବା ମାମଲାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ପାଇଁ କ୍ଷମତା ପ୍ରଦାନ କରିଥାଏ। ଏହାପରେ ବି ଏକ ସାଧାରଣ ସହମତି ହେବା ଦରକାର ବୋଲି ନିୟମ ରହିଛି। ଏହାବାଦ୍ ସିବିଆଇ ଏକ ନିର୍ଦ୍ଦିଷ୍ଟ ମାମଲା ପାଇଁ ରାଜ୍ୟ ସରକାରଙ୍କର ନିର୍ଦ୍ଦିଷ୍ଟ ସମ୍ମତି ମାଗିପାରେ।
ସିବିଆଇ ତଦନ୍ତ ପାଇଁ ସରକାର ସହିତ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇପାରିବେ ବୋଲି କୁହାଯାଇଛି। ଏହି ସମୟରେ ସହମତି ଧାରାକୁ ଅଗ୍ରାହ୍ୟ କରି ସିବିଆଇ ତଦନ୍ତ କରିବ ବୋଲି କୁହାଯାଇଛି। ଜଷ୍ଟିସ୍ ଏମ୍ ଖାନୱିଲକର ଏବଂ ବି.ଆର ଗାଭାଇଙ୍କ ଖଣ୍ଡପୀଠ ଏହା କହିଛନ୍ତି।