କେରଳରେ ପ୍ରବେଶ କରିପାରିବ ନାହିଁ ସିବିଆଇ

ନୂଆଦିଲ୍ଲୀ : ମହାରାଷ୍ଟ୍ର ପରେ ସିବିଆଇ ଯାଞ୍ଚ ଉପରେ ରୋକ ଲଗାଇଛନ୍ତି କେରଳ । ଏଣିକି ସରକାରଙ୍କ ବିନା ଅନୁମତିରେ କେରଳରେ ପ୍ରବେଶ କରିପାରିବନି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ବା ସିବିଆଇ । ଏନେଇ ଥିବା ପାରମ୍ପରିକ ସହମତି ପ୍ରତ୍ୟାହାର କରିଛନ୍ତି କେରଳ ସରକାର। ଆଜି ଏହି ନିଷ୍ପତ୍ତି ଉପରେ କ୍ୟାବିନେଟ୍‌ରେ ମୋହର ଲାଗିଥିବା ଜଣାପଡ଼ିଛି। ଅଣ ବିଜେପି ଶାସିତ ରାଜ୍ୟ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ମହାରାଷ୍ଟ୍ର ପରେ ଏବେ ଏହି ଲିଷ୍ଟରେ ଯୋଡ଼ି ହୋଇଯାଇଛି କେରଳ।

ତେବେ କେରଳରେ ସରକାରଙ୍କ ଆବାସ ଯୋଜନା ଲାଇଫ୍‌ ମିଶନରେ ସିବିଆଇ ଯାଞ୍ଚକୁ ନେଇ ରାଜ୍ୟ ସରକାର ଓ ସିବିଆଇ ମଧ୍ୟ ମତଭେଦ ହୋଇଛି। ତଦନ୍ତରେ ସିବିଆଇ ପକ୍ଷପାତିତା କରୁଥିବା ଅଭିଯୋଗ ହୋଇଥିଲା। ରଜ୍ୟ ସରକାର ଆବେଦନ ପରେ କେରଳ ହାଇକୋର୍ଟ ଅକ୍ଟୋବରରେ ସିବିଆଇ ଯାଞ୍ଚ ଉପରେ ରୋକ୍‌ ଲଗାଇଥିଲେ।

ସିବିଆଇ ଡିଏସ୍‌ପିଇ ଆକ୍ଟ ଅଧିନରେ ଆସୁଥିବା ବେଳେ ରାଜ୍ୟ ଭିତରେ କୌଣସି କେନ୍ଦ୍ରୀୟ କର୍ମଚାରୀଙ୍କ ବିରୋଧରେ ଯାଞ୍ଚ କରିବାକୁ ହେଲେ ରାଜ୍ୟ ସରକାରଙ୍କ ସାମାନ୍ୟ ସହମତି ଆବଶ୍ୟକ କରେ । ତେଣୁ ଏହି ନିୟମରେ ସମୟ ଅନୁସାରେ ପରିବର୍ତ୍ତନ ମଧ୍ୟ ହୋଇଥାଏ। ୨୦୧୮ ମସିହାରେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ସାମାନ୍ୟ ସହମତି ପ୍ରତ୍ୟାହାର କରିନେଇଥିଲେ। ତେବେ ଆନ୍ଧ୍ରପ୍ରଦେଶରେ ଜଗନ ମୋହନ ରେଡ୍ଡିକଙ୍କ ସରକାର ଆସିବା ପରେ ୨୦୧୯ରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥିଲା।

ନିକଟରେ ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟରେ ସିବିଆଇ ଯାଞ୍ଚ ଉପରେ ରୋକ ଲଗାଇଛନ୍ତି। ମହାରାଷ୍ଟ୍ରରେ ଟିଆରପି ଘୋଟାଲାକୁ ନେଇ ସିବିଆଇ ତଦନ୍ତ କରିବା ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ପୂର୍ବରୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ଓ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଥିଲା।