ନୂଆଦିଲ୍ଲୀ: ଅନ୍ନଦାତାଙ୍କ ଅନଶନରେ ବିଚଳିତ ସରକାର। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆରମ୍ଭ କରିଥିବା ୧୯ ଦିନର ଆନ୍ଦୋଳନ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ସ୍ୱରାଷ୍ଟ୍ର ଅମିତ ଶାହଙ୍କ ସହ କୃଷି ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ବରିଷ୍ଠ ମନ୍ତ୍ରୀମାନେ ଆଲୋଚନା କରୁଥିଲେ ମଧୁଆ ଚାଷୀଙ୍କୁ ମନେଇବାରେ ଏଯାବତ କେହି ସମର୍ଥ ହେଉନାହାନ୍ତି। ଚାଷୀମାନେ ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆଜି ଅନଶନ କରିଥିବା ବେଳେ ଏହାର ସମଧାନ ପାଇଁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି।
ଆଲୋଚନା ପରେ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଆମେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ଆଲୋଚନା କରିବାକୁ ରାଜି। ଆମେ ଚାଷୀଙ୍କ ଜବାବକୁ ଅପେକ୍ଷା କରିଛୁ। ପୂର୍ବରୁ କହିଥିଲୁ ଆଉ ଏବେ ବି ଆମେ କହୁଛୁ ଯେ କୃଷି ଆଇନରେ ଥିବା ସମସ୍ତ ଧାରାକୁ ଗୋଟି ଗୋଟି କରି ଚାଷୀଙ୍କ ସହ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ। ଚାଷୀମାନେ ଆଲୋଚନା ପାଇଁ ଆସନ୍ତୁ ବୋଲି ସେ କହିଛନ୍ତି।
ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, କୃଷି କ୍ଷେତ୍ରକୁ ପ୍ରଭାବିତ କରିବା ଭଳି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହିଁ ସଂସ୍କାର କରାଯାଇଛି ବୋଲି କହିଛନ୍ତି ।
ଅନ୍ୟପକ୍ଷରେ କୃଷି ଆଇନ ବିରୋଧରେ ଭାରତରେ ଚାଷୀମାନେ କୃଷି ଆଇନକୁ ବିରୋଧ କରି ସକାଳ ୮ଟାରୁ ଉପବାସ କରିଛନ୍ତି। ସରକାର ତଥାପି ଯଦି କୃଷି ଆଇନକୁ ପ୍ରତ୍ୟାହାର କରିବେ ନାହିଁ, ତା’ହେଲେ ଆଗକୁ ଆନ୍ଦୋଳନ ଆହୁରି ଭୟଙ୍କର ରୂପ ନେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ଚାଷୀ ଆଉ ପୋଲିସଙ୍କ ଡଷ୍ଟଧାସ୍ତୀକୁ ନେଇ ପୁଲିସ୍ ୨୦ ଜଣ ଚାଷୀଙ୍କୁ ମଧ୍ୟ ଅଟକ ରଖିଛି।
ସେପଟେ କେନ୍ଦ୍ର ସରକାର ଆଣିଥିବା ୩ଟି ନୂଆ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଚାଲିଥିବା ଚାଷୀ ଆନ୍ଦୋଳନ ସୋମବାର ୧୯ ଦିନରେ ପହଞ୍ଚିଛି। ଆଜି ଦେଶବ୍ୟାପୀ ଜିଲା ମୁଖ୍ୟାଳୟରେ ଚାଷୀମାନେ ବିକ୍ଷୋଭ କରୁଛନ୍ତି। ଏପରି ସ୍ଥିତିରେ ୧୦ଟି କୃଷକ ସଂଗଠନ ସରକାରଙ୍କ କୃଷି ଆଇନକୁ ସମର୍ଥନ ଜଣାଇଛନ୍ତି। ସେମାନେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ନିଜର ସମର୍ଥନ ଜଣାଇଛନ୍ତି।କୃଷି ଆଇନକୁ ସମର୍ଥନ କରିଥିବା ୧୦ ସଂଗଠନ ହେଉଛନ୍ତି ଉତ୍ତର ପ୍ରଦେଶ, କେରଳ, ତାମିଲନାଡୁ, ତେଲେଙ୍ଗାନା, ବିହାର ଏବଂ ହରିୟାଣା ରାଜ୍ୟର। ଏସବୁ ସଂଗଠନ ସର୍ବଭାରତୀୟ ସମନ୍ବୟ କମିଟି ସହିତ ଜଡ଼ିତ ରହିଛନ୍ତି।