ଅନଲକ୍-୪: ଲକଡାଉନ ହଟିଲା, କେବଳ କଣ୍ଟେନମେଣ୍ଟ

ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନ ବାହାରେ କରୋନା କଟକଣା ଆହୁରି କୋହଳ ହୋଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ଅନଲକ-୪ ଗାଇଡ଼ଲାଇନ। କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ଏଣିକି ଲକଡାଉନ ଲାଗୁ କରିପାରିବେ ନାହିଁ ବୋଲି ଏଥିରେ କୁହାଯାଇଛି।

ସେପ୍ଟେମ୍ବର ୧ ରୁ ନୂଆ ଗାଇଡ଼ଲାଇନ ଲାଗୁ ହେଉଥିବା ବେଳେ ୭ ତାରିଖରୁ ମେଟ୍ରୋ ଚଳାଚଳ ପାଇଁ ଅନୁମତି ମିଳିଛି। ତେବେ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ବିଚାର ବିମର୍ଶ କରି ଏଥିପାଇଁ ଏସଓପି ଜାରି କରିବେ। ସେହିଭଳି ୧୦୦ ଲୋକଙ୍କୁ ନେଇ ସାମାଜିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ, ମନୋରଞ୍ଜନ ଆଦି କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୧ ତାରିଖ ପରଠୁ ଅନୁଷ୍ଠିତ ହୋଇପାରିବ। ତେବେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଖୋଲା ମଞ୍ଚ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଅନୁମତି ମିଳିଛି।

ସେପ୍ଟେମ୍ବର ୩୦ ଯାଏଁ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ। ତେବେ ବୈଷୟିକ, ଉଦ୍ୟୋଗିକ, ଦକ୍ଷତା ତାଲିମ ଭିତ୍ତିକ ଶିକ୍ଷାଦାନ ପାଇଁ କ୍ୟାମ୍ପସରେ ଅନୁମତି ମିଳିଛି। ପିଏଚଡି ସ୍କଲାର ଏବଂ ବୈଷୟିକ ଶିକ୍ଷାରେ ପିଜି କରୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପାଠପଢା ଅନୁମତି ମିଳିଛି। ତେବେ ଏନେଇ ଉଚ୍ଚଶିକ୍ଷା ବିଭାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଦକ୍ଷେପ ନିଆଯିବ। ୫୦ ପ୍ରତିଶତ ଶିକ୍ଷକ ଏଣିକି ସ୍କୁଲ ଓ କଲେଜ ଆସିପାରିବେ। ନବମରୁ ଦ୍ୱାଦଶ ଶ୍ରେଣୀର ପିଲା ସ୍କୁଲ ଆସି ଶିକ୍ଷକଙ୍କଠୁ ପାଠ ବୁଝି ଯାଇପାରିବେ। ଏଥିପାଇଁ ଅଭିବାବକ ଲିଖିତ ଆକାରରେ ଦେବା ଅନିର୍ବାଯ୍ୟ।

ଆନ୍ତଃ ରାଜ୍ୟ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ କାରବାର ଓ ଲୋକଙ୍କ ଯିବା ଆସିବାରେ ଆଉ କଟକଣା ନାହିଁ। ତେବେ ପୂର୍ବପରି ସିନେମା ହଲ, ସୁଇମିଂ ପୁଲ, ପାର୍କ ଏବଂ ଅନ୍ତର୍ଜାତୀୟ ଉଡାଣ ବନ୍ଦ ରହିବ। ଏହାସହ ୩୦ ତାରିଖ ପର୍ଯ୍ୟନ୍ତ ଏବେକାର କଣ୍ଟେନମେଣ୍ଟ ଜୋନରେ ଲାକଡାଉନ ବଳବତ୍ତର ରହିବ।