ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ସହିତ ସୁଦୃଢ଼ ବନ୍ଧୁତା ସ୍ଥାପନ କରି ଆନ୍ତର୍ଜାତିକ ବଜାରରେ ଭାରତୀୟ କମ୍ପାନୀରୁ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରି ଭାରତର ଅର୍ଥନୀତିକୁ ମଜଭୁତ କରିବାର ଆଶା ଏବେ ମଉଳି ଯାଇଛି । ଭାରତ ଉପରେ ସଦାସର୍ବଦା ନିର୍ଭରଶୀଳ ନେପାଳ ଭାରତ ନିକଟରୁ ଜୀବନ ରକ୍ଷାକାରୀ ଔଷଧ କିଣିବାକୁ ମନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକପ୍ରକାର ଚଟକଣା ମାରିଛି ।
ଆଫ୍ରିକା ବଜାରରେ ମିଳୁଥିବା ଭାରତୀୟ ଔଷଧ କମ୍ପାନୀର କାଶ ଔଷଧ ସେବନ କରି କିଛି ପିଲା ମୃତ୍ୟୁବରଣ କରିବାର ଖବର ପ୍ରସାରଣ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଯେଉଁ ଚେତାବନୀ ଦିଆଯାଇଛି; ତାକୁ ଗୁରୁତ୍ୱ ଦେଇ ନେପାଳ ୧୬ଟି ଭାରତୀୟ ଔଷଧ କମ୍ପାନୀ ନିକଟରୁ ଔଷଧ କିଣିବାକୁ ବାରଣ କରିଛି । ନେପାଳ ଔଷଧ ନିୟନ୍ତ୍ରଣ ପ୍ରାଧିକରଣ ପକ୍ଷରୁ ପ୍ରକାଶିତ ତାଲିକାରେ ଯୋଗଗୁରୁ ରାମଦେବଙ୍କ କମ୍ପାନୀ ‘ଦିବ୍ୟ ଫାର୍ମାସୀ’ ଅନ୍ୟତମ । ଦିବ୍ୟ ଫାର୍ମାସୀରୁ ପତଞ୍ଜଳି ସାମଗ୍ରୀ ଉତ୍ପାଦିତ ହୋଇ ବଜାରକୁ ଯାଇଥାଏ ।
ତାଲିକାଭୁକ୍ତ ଅନ୍ୟ ଭାରତୀୟ ଔଷଧ କମ୍ପାନୀଗୁଡ଼ିକ ହେଉଛନ୍ତି ରେଡିୟାଂଟ ପ୍ୟାରେଂଟରାଲ୍ ଲିମିଟେଡ୍, ମର୍କ୍ୟୁରି ଲାବୋରେଟରିଜ ଲିମିଟେଡ୍, ଏଲାୟନ୍ସ ବାୟୋଟେକ୍, କ୍ୟାପଟେବ ବାୟୋଟେକ୍, ଏଗ୍ଲୋମେଡ୍ ଲିମିଟେଡ୍, ଜି ଲାବ୍ରୋଟୋରିଜ ଲିମିଟେଡ୍, ଡାଫୋଡିଲ୍ସ ଫାର୍ମାସିଉଟିକାଲ୍ସ ଲିମିଟେଡ୍, ଜିଏଲ୍ଏସ୍ ଫାର୍ମା ଲିମିଟେଡ୍, ୟୁନିଜୁଲ୍ସ ଲାଇଫ୍ ସାଇନ୍ସ ଲିମିଟେଡ୍, କନ୍ସେପ୍ଟ ଫାର୍ମାସିଉଟିକାଲ୍ସ ପ୍ରାଇଭେଟ୍ କମ୍ପାନୀ ।
ତା’ ପଛକୁ ରହିଛି ଆନନ୍ଦ ଲାଇଫ୍ ସାଇନ୍ସ ଲିମିଟେଡ୍, ଆଇପିସିଏ ଲାବୋରେଟରିଜ ଲିମିଟେଡ୍, କାଡିଲା ହେଲ୍ଥକେୟାର ଲିମିଟେଡ୍, ଡାଏଲ୍ ଫାର୍ମାସିଉଟିକାଲ୍ସ, ମେକୁର ଲାବୋରେଟରିଜ ଲିମିଟେଡ୍ । ଏହି କମ୍ପାନୀଗୁଡ଼ିକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶିତ ଗୁଣାତ୍ମକ ମାନ ରକ୍ଷା କରିବାରେ ବିଫଳ ହୋଇଥିବା କୁହାଯାଉଛି । ନେପାଳର ଏପରି ପଦକ୍ଷେପ କାରଣରୁ ଭାରତୀୟ ବଜାରରେ ବିକା ଯାଉଥିବା ସେହି କମ୍ପାନୀଗୁଡ଼ିକର ଔଷଧ ପ୍ରତି ଲୋକମାନଙ୍କ ମନରେ ସନ୍ଦେହ ଉପୁଜିଛି ।
Prev Post