ଶିଶୁ ଯୌନ ଶୋଷଣ: ସମୂହ ସଂଗ୍ରାମ ଲୋଡ଼ା

ବିଶ୍ୱବ୍ୟାପୀ ଏବେ ଯେଉଁ ପ୍ରଯୁକ୍ତିଗତ ମନ୍ଥନ ଚାଲିଛି ସେଥିରୁ ଉଭୟ ଅମୃତ ଏବଂ ବିଷ ବାହାରିଛି । ଆମେ ଯେତେବେଳେ ନିଷ୍ଠାର ସହିତ ସେହି ଅମୃତକୁ ସ୍ୱାଗତ କରିଛୁ, ଏପର୍ଯ୍ୟନ୍ତ ଆମମାନଙ୍କୁ ଅଜ୍ଞାତ ଥିବା ଏହାର ବହୁମୁଖୀ ବିଷ ଆମମାନଙ୍କ ପାଇଁ ଭୟଙ୍କର ଏବଂ ତତ୍କାଳ ଉଦ୍‌ବେଗ ପ୍ରକଟ କରିବାର ଅବସର ସୃଷ୍ଟି କରିଛି । ସାଧାରଣତଃ ସବୁ ପ୍ରକାର ଅପରାଧର ବର୍ତ୍ତମାନ ସମୟରେ ବୈଶ୍ୱିକ ନେଟୱାର୍କ ମୁଣ୍ଡ ଟେକିବାରେ ଲାଗିଛି- ତାହା ଚୋରା ମାଦକଦ୍ରବ୍ୟ କାରବାର ହୋଇଥାଉ ଅବା ମାନବ ଚାଲାଣ, ଆତଙ୍କବାଦ ଅବା ଶିଶୁ ଶୋଷଣ ଅବା ଆଉ କିଛି । ତାହାର ଆଉ କୌଣସି ଭୌଗୋଳିକ ସୀମାରେଖା ରହୁନାହିଁ । କିନ୍ତୁ ସବୁ ଉଦ୍‌ବେଗଜନକ, ଚିନ୍ତାଜନକ, ବିଷାକ୍ତ ଏବଂ ଜଘନ୍ୟ ଅପରାଧଠାରୁ ଅଧିକ ହେଲା – ଅନ୍‌ଲାଇନ ଶିଶୁ ଯୌନ ଶୋଷଣ । ଦୁର୍ଭାଗ୍ୟର କଥା, ଏହା ଏବେ ପୁନଃପୌନିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ଏବଂ ସମଗ୍ର ସମାଜ ପାଇଁ ଏହା ଯେତିକି କ୍ଷତିକାରକ ସେତିକି ମାତ୍ରାରେ ଏହା ଲୁଚିଛପି, ଗୁରୁଣ୍ଡି ପେଟେଇ ସମାଜରେ ପ୍ରସାରିତ ହେବାରେ ଲାଗିଛି ।

ନିଛକ ସତ୍ୟଟି ହେଲା ଏହାଯେ ଅବିଚାରିତ ଭାବେ ଏଭଳି ଅପରାଧର ଫଟୋଚିତ୍ର ଏବଂ ଭିଡ଼ିଓମାନ ପ୍ରସାରିତ ହେଉଛି – ଏବଂ, ଅଧିକାଂଶ ସମୟରେ ତାହା ନିରିହତାର ଖୋଳ ଭିତରେ ଥିବା ପରି ପ୍ରତୀୟମାନ ହେଉଛି । ସମସ୍ତ ପ୍ରକାର ସୋସିଆଲ୍ ନେଟୱାର୍କିଂ ଏବଂ ସେହିଭଳି  ୱେବ୍‌ସାଇଟମାନ ଯାହାକି ଇଣ୍ଟରନେଟ୍ ଭଳି  ଇଲେକ୍ଟ୍ରୋନିକ୍ ଡିଭାଇସ୍ ସହିତ ସଂଯୁକ୍ତ ସେଥିରେ ଉପଲବ୍ଧ ହେଉଛି । ଅଚିହ୍ନା ବିକୃତ ରୂପ ଦିଆଯାଇଥିବା ଏହିସବୁ ନେଟୱାର୍କରେ ସେହିସବୁ ଜଘନ୍ୟ ଅପରାଧୀମାନଙ୍କୁ ଚିହ୍ନିବା ବାସ୍ତବ ପକ୍ଷେ ଅସମ୍ଭବ । ସେମାନେ ‘ଚାଇଲ୍ଡ ପର୍ଣ୍ଣର୍’, ‘କିଡ୍ ପର୍ଣ୍ଣ’ କିମ୍ବା ‘ପୋର୍ଣ୍ଣୋଗ୍ରାଫି’ ଭଳି ନାମମାନ ପ୍ରଦାନ କରୁଛନ୍ତି ଯାହାକି ଅତିମାତ୍ରାରେ କ୍ଷତିକାରକ । ଏହିସବୁ ଫଟୋଚିତ୍ର ଅଥବା ଭିଡ଼ିଓ ପଛପଟେ ଗୋଟିଏ ବାସ୍ତବ ଶୋଷିତ ଶିଶୁ ହିଁ ରହିଛି, ତାହାକୁ ପ୍ରକୃତରେ ଶୋଷଣ କରାଯାଇଛି ଏବଂ ଏହା ଅପରାଧ ଭାବେ ବିବେଚିତ । ନିରବଚ୍ଛିନ୍ନ ଭାବେ ଏଭଳି ଉପାଦାନର ଉତ୍ପାଦନ ଓ ବିତରଣ ନୂଆ ନୂଆ ଏବଂ ଅଧିକ ଉତ୍ତେଜକ ଫଟୋ ପାଇଁ ଚାହିଦା ସୃଷ୍ଟି କରୁଛି ଯଦ୍ୱାରା ନୂଆ ନୂଆ ଶିଶୁମାନେ ଏଭଳି ଶୋଷଣର ଶିକାର ହେବା ସହ ଏଭଳି ଅପରାଧ ବୃଦ୍ଧି ପାଇଚାଲିଛି ।

ଅନଲାଇନ ଶିଶୁ ଯୌନ ଉତ୍ପୀଡ଼ନରୁ ଆମମାନଙ୍କ ଶିଶୁମାନଙ୍କୁ ରକ୍ଷା କରିବା ନିମନ୍ତେ ଆମର ସଂଗ୍ରାମ ବିବିଧ ପର୍ଯାୟର ଏବଂ ଏଥିରେ ଏଭଳି ଜଘନ୍ୟ କାର୍ଯ୍ୟର ଅପରାଧିକରଣ, ପ୍ରତିକାର, ଏହା ବିରୁଦ୍ଧରେ ସକାରାତ୍ମକ ଅନୁସନ୍ଧାନ, ଏଭଳି ଅପରାଧର ତଦନ୍ତ, ଏହାର ପ୍ରଚାର ଓ ପ୍ରସାରକୁ ରୋକିବା, ଏଥିରେ ଶରବ୍ୟ ଶିଶୁମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ପ୍ରତ୍ୟର୍ପଣ ନିମନ୍ତେ ବ୍ୟବସ୍ଥା କରିବା ସହ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି କରାଯିବା ଏକାନ୍ତ ଜରୁରି ।

ଯେକୌଣସି ଶିଶୁ ଯାହାର ଇଣ୍ଟରନେଟ୍ ପର୍ଯ୍ୟନ୍ତ ପହଞ୍ଚ ଅଛି ସେ ଅନଲାଇନରେ କି ପ୍ରକାର ଆଚରଣ ଗ୍ରହଣୀୟ ଏବଂ କ’ଣ ଗ୍ରହଣୀୟ ନୁହେଁ ସେ ସଂପର୍କରେ ଅବଶ୍ୟ ଅବହିତ । ତେଣୁ ଆମେ ଆମମାନଙ୍କର ପିଲାମାନଙ୍କୁ ଅତି ନିଷ୍ଠାର ସହିତ ସେ ସଂପର୍କରେ ପ୍ରଶିକ୍ଷିତ କରିବା ଆବଶ୍ୟକ । ଅନଲାଇନରେ ଥିବା ବିପଥଗାମୀ ସାଇଟ୍ ଏବଂ ଏହାର ଭୟଙ୍କର ପରିସ୍ଥିତି ସଂପର୍କରେ ସେମାନଙ୍କୁ ସଚେତନ କରାଯିବା ବାଂଛନୀୟ । ଏଭଳି କଣ୍ଟେଣ୍ଟ୍ ଥିବା ସାଇଟ୍‌ଗୁଡ଼ିକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକୁ ବ୍ଲ୍‌କ୍ କରିବା ସକାଶେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମମାନ ସକାରାତ୍ମକ ଭାବେ ଆଚରଣବିଧିର ବିକାଶ ଘଟାଉଛନ୍ତି । ଏହା ନିଶ୍ଚିତ ରୂପେ ସମାଧାନର ଅଂଶବିଶେଷ  କିନ୍ତୁ ଏଭଳି ଅପରାଧ ସଂପର୍କରେ ବିଧିବଦ୍ଧ ତଦନ୍ତ କରାଯିବା ଏବଂ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ ତା’ଠାରୁ ମହତ୍ୱ ବହନ କରେ ।

ଭାରତରେ ବିଶ୍ୱର ସର୍ବାଧିକ ଶିଶୁ ବସବାସ କରନ୍ତି । ୨୦୧୧ ମସିହାର ଜନଗଣନା ଅନୁସାରେ ଭାରତରେ ଅଠର ବର୍ଷରୁ କମ୍ ଆୟୁବର୍ଗର ଶିଶୁମାନଙ୍କ ସଂଖ୍ୟା ୪୭.୨ କୋଟି ଏବଂ ସେମାନଙ୍କ ମଧ୍ୟରୁ ବାଳିକାମାନଙ୍କ ସଂଖ୍ୟା ୨୨.୫ କୋଟି । ଭାରତରେ ଡିଜିଟାଲ ଅନୁପ୍ରବେଶ ଓ ପ୍ରସାର ବ୍ୟାପକ ଭାବେ ଆଗେଇ ଚାଳିଛି । ତେଣୁ ଏହା ଅପରାଧକୁ ମଧ୍ୟ ବଢ଼ାଇବାର ଆଶଙ୍କା ରହିଛି ।

ଭାରତରେ ଆଇଟି ଆଇନ ଏବଂ ପୋକ୍‌ସୋ (ଚଙଉଝଙ) ଅନୁସାରେ ଅନଲାଇନ୍ ଶିଶୁ ଯୌନ ଶୋଷଣକୁ ବିଧିବଦ୍ଧ ଭାବେ ଅପରାଧ ବୋଲି ଚିହ୍ନିତ କରାଯାଇଛି । ପୋକ୍‌ସୋ ଶିଶୁମାନଙ୍କ ସୁରକ୍ଷାକୁ ଅଗ୍ରାଧିକାର ପ୍ରଦାନ ପୂର୍ବକ ଏଥିପାଇଁ ବ୍ୟାପକ ଆଇନଗତ ପ୍ରାବଧାନର ବ୍ୟବସ୍ଥା କରିଛି ଏବଂ ସେହି ବ୍ୟବସ୍ଥାରେ ଶିଶୁଭିତ୍ତିକ ରିପୋର୍ଟିଂ, ତଥ୍ୟପ୍ରମାଣର ପଂଜୀକରଣ, ସେଭଳି ଅପରାଧର ତଦନ୍ତ ଏବଂ ପ୍ରାଧିକୃତ ସ୍ୱତନ୍ତ୍ର ବିଚାରାଳୟଗୁଡ଼ିକ ମାଧ୍ୟମରେ ସେହିସବୁ ମାମଲାର ତୁରନ୍ତ ଫଇସଲା କରିବା ଆଦି ରହିଛି । ଶିଶୁ ଅଧିକାର ସୁରକ୍ଷା ସଂପର୍କୀତ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଇତ୍ୟବସରେ ‘ପୋକ୍‌ସୋ’ର କାର୍ଯ୍ୟକାରୀତାକୁ ମନିଟର୍ କରୁଛି ।

ଭାରତରେ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିମାନେ ଅନଲାଇନ୍ ଶିଶୁମାନଙ୍କ ଶୋଷଣ ବିରୁଦ୍ଧରେ ସଂଗ୍ରାମ ନିମନ୍ତେ କୃତସଂକଳ୍ପ ଏବଂ ଏଥି ନିମନ୍ତେ ଇଣ୍ଟରପୋଲ୍ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ସମୁଦାୟ ସହ ସକ୍ରିୟତାର ସହ ଯୋଗସୂତ୍ର ରକ୍ଷା କରାଯାଉଛି । ଅନ୍‌ଲାଇନରେ ଉପଲବ୍ଧ ସେହିଭଳି ଆପତ୍ତିଜନକ କଣ୍ଟେଣ୍ଟ୍‌ର ପ୍ରସାରକୁ ବ୍ଲକ୍ କରିବା ସହିତ ଏହାକୁ ରୋକିବା ଲାଗି ପରସ୍ପର ମଧ୍ୟରେ ସୂଚନା ଆଦାନପ୍ରଦାନ, ଏସଂକ୍ରାନ୍ତ ଅପରାଧର ତଦନ୍ତକୁ ଅଗ୍ରପ୍ରାଧାନ୍ୟ ଦିଆଯାଉଛି । ଅନଲାଇନ ଶିଶୁ ଯୌନ ଅପରାଧ ଭଳି କଣ୍ଟେଣ୍ଟ ଥିବା ତଥ୍ୟ ସଂଗ୍ରହ, ସମାଯୋଜନା, ତଦନ୍ତ ଏବଂ ଅନ୍ୟମାନଙ୍କୁ ଯୋଗାଇଦେବା ସକାଶେ ବିଭିନ୍ନ ଏଜେନ୍ସିମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି ।

ଏଭଳି ଅପରାଧ ବିରୁଦ୍ଧରେ ସଂଗ୍ରାମ କରିବା ଲାଗି  ପ୍ରତିବଦ୍ଧତା ଅନୁସାରେ, ସିବିଆଇ ଅନ୍ତରାଷ୍ଟ୍ରୀୟ ଶିଶୁ ଯୌନ ଶୋଷଣ (ଓଉଝଋ) ଡାଟାବେସ୍‌କୁ ଇଣ୍ଟରପୋଲ୍ ଦ୍ୱାରା ପରିଚାଳନା କରାଯାଉଛି ଏବଂ ଏହାକୁ ଶିଶୁ ଯୌନ ଅପରାଧ ସାଧନ (ଉଝଇଗ)ର ସହଯୋଗ ଯୋଗାଇ ଦିଆଯାଇଛି । ଏହି ଡାଟାବେସ୍‌ରେ ଯୋଗଦେବାରେ ଭାରତ ହେଉଛି ବିଶ୍ୱର ୬୮ତମ ରାଷ୍ଟ୍ର । ଏହି ଡାଟାବେସ୍‌ରେ ୨୭ ଲକ୍ଷରୁ ଅଧିକ ଫଟୋଚିତ୍ର ରହିଛି ଯାହାକି ୨୩,୦୦୦ରୁ ଅଧିକ ଶିଶୁଙ୍କୁ ଚିହ୍ନଟ କରିବାରେ ସହାୟକ ହୋଇପାରିଛି । ଇଣ୍ଟରପୋଲ୍ ମହାସଚିବ ନିକଟରେ ଏହି ଡାଟାବେସ୍‌ର ଉପାଦେୟତାକୁ ଉଚ୍ଛ୍ୱସିତ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଏହି ଡାଟାବେସ୍‌କୁ ଉପଯୋଗ କରିବା ଫଳରେ ପ୍ରତିଦିନ ହାରାହାରି ଭାବେ ୦୭ଜଣ ଶୋଷିତ ଶିଶୁଙ୍କୁ ଚିହ୍ନଟ କରାଯାଇପାରୁଛି ।

ମିଳିତ ସମନ୍ୱିତ ଅନୁସନ୍ଧାନ ଭିତ୍ତିକ କାର୍ଯ୍ୟନୁଷ୍ଠାନ ଏଭଳି ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ଉବଲବ୍ôଧ କରି ସିବିଆଇ ବିଗତ ବର୍ଷମାନଙ୍କରେ ଏହାକୁ ସର୍ବଭାରତୀୟ ସ୍ତରରେ ବ୍ୟାପକ ଭାବେ ଉପଯୋଗ କରିଆସୁଛି । ୨୦୨୧ ମସିହାରେ ଅପରେସନ୍ କାର୍ବନ ଏବଂ ୨୦୨୨ ମସିହାରେ ଅପରେସନ୍ ମେଘ ଚକ୍ର ଏହାର ଦୁଇଟି ସଦ୍ୟତମ ଉଦାହରଣ । ଏଥିରୁ ଯେଉଁ ଦୁର୍ଭାଗ୍ୟଜନକ ସୂଚନାଟି ମିଳିଛି ତାହା ହେଲା ଏହା ଏବେ ଦେଶର ସବୁଭାଗକୁ ପ୍ରସାରିତ ହୋଇଛି । କେବଳ ସେତିକି ନୁହେଁ ସମଗ୍ର ବିଶ୍ୱରେ ୧୦୦ଟିରୁ ଅଧିକ କ୍ଷେତ୍ରରେ ଏହାର ପଦଚିହ୍ନ ଅନୁଭୂତ ହୋଇଛି । ଏହାର ସବୁଠାରୁ ବାସ୍ତବ ଚାଲେଞ୍ଜଟି ହେଲା ଏଭଳି ଅପରାଧ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ । ଅପରପକ୍ଷେ, ଦେଶବ୍ୟାପୀ ଚଳାଯାଉଥିବା ଏଭଳି ଖାନତଲାସୀ ଅଭିଯାନ ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଇବା ଦିଗରେ ବିଶେଷ ଭାବେ ସହାୟକ ହୋଇପାରିଛି ।

ଯେହେତୁ ୧୦୦ରୁ ଅଧିକ ରାଷ୍ଟ୍ରରେ ଏବେ ଏଭଳି ଅପରାଧ ପହଞ୍ôଚ ସାରିଛି ସେହି ଦୃଷ୍ଟିରୁ ବିଚାର କଲେ ଏପରି ଜଘନ୍ୟ ଅପରାଧରେ ଅପରାଧୀମାନେ ଯେକୌଣସି ମୁହୂର୍ତ୍ତରେ ପରସ୍ପର ମଧ୍ୟରେ ହାତ ମିଳାଇ ପାରନ୍ତି । ଦୁର୍ଭାଗ୍ୟର କଥା ଯେ ଆଇନ ପ୍ରବର୍ତ୍ତନକାରୀ ସଂସ୍ତାମାନେ ଏ ଦିଗରେ ଉଲ୍ଲେଖନୀୟ ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କେବଳ ମାସ ମାସ ନୁହେଁ ଏପରିକି ବର୍ଷ ବର୍ଷ ସମୟ ନେଉଛନ୍ତି । ଫଳସ୍ୱରୂପ ପାରସ୍ପରିକ ଆଇନଗତ ସହାୟତା ବିଳମ୍ବିତ ହେଉଛି । ରିଅଲ୍ ଟାଇମ୍ କାର୍ଯ୍ୟାନୁଷ୍ଠାନଧର୍ମୀ ଡାଟାର ଅନୁପସ୍ଥିତି ତଦନ୍ତ ପ୍ରକ୍ରିୟାକୁ ମଧ୍ୟ ଶିଥିଳ କରିପକାଉଛି ଏବଂ ବିଭିନ୍ନ କ୍ଷେତ୍ର ମଧ୍ୟରେ ଡାଟା ଆଦାନପ୍ରଦାନ ପାଇଁ ଥିବା ଜଟିଳ ବ୍ୟବସ୍ଥା, ଅଜଣାବ୍ୟକ୍ତି/ଛାୟା/ ଭିପିଏନ/ ନକଲି ପରିଚୟ ପତ୍ର ଜରିଆରେ ଅପରାଧୀମାନଙ୍କ ନେଟୱାର୍କ ମାଧ୍ୟମରେ ସଂପର୍କ ଏହି କ୍ଷେତ୍ରରେ ଥିବା ପ୍ରମୁଖ ପ୍ରତିବନ୍ଧକ ବୋଲି ବିବେଚନା କରାଯାଏ ।

ଅନ୍ୟାନ୍ୟ ଯେକୌଣସି ପ୍ରକାର ଅପରାଧ ସହିତ ଅନଲାଇନ ଶିଶୁ ଶୋଷଣକୁ ତୁଳନା କରାଯାଇପାରେ । ତେଣୁ ନୀତି ନିର୍ଦ୍ଧାରକ ଏବଂ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାମାନେ ଏହାର ସମାଧାନ ପନ୍ଥା ଖୋଜି ବାହାର କରିବା ଆବଶ୍ୟକ । ଏ ଦିଗରେ କ୍ଷେତ୍ରୀୟ ପ୍ରତିବନ୍ଧକ, ଆଇନଗତ ଅସମାନତା କିମ୍ବା ଜଟିଳ ପ୍ରକ୍ରିୟା ଅନ୍ତରାୟ ସୃଷ୍ଟି କରିବା ଉଚିତ ନୁହେଁ । ଏକ ଦାୟିତ୍ୱସମ୍ପନ୍ନ ବୈଶ୍ୱିକ ସମୁଦାୟ ଭାବେ ଆମେ ନିଜ ନିଜ ମଧ୍ୟରେ ଥିବା ସମସ୍ତ ପ୍ରକାର ବିଭେଦକୁ ଭୁଲି ବାସ୍ତବପକ୍ଷେ ଏଭଳି ଦୁଷ୍କୃତି ବିରୁଦ୍ଧରେ ବୈଶ୍ୱିକ ପ୍ରୟାସ, ବିଶାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବାଂଛନୀୟ ।

ବର୍ତ୍ତମାନ, ଇଣ୍ଟରପୋଲ ଏ ଦିଗରେ ଏକ ବୈଶ୍ୱିକ ନିର୍ଭରଯୋଗ୍ୟ ସଂସ୍ଥା ଭାବେ କାର୍ଯ୍ୟ କରିପାରିବ ଏବଂ ବିବିଧ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିମାନଙ୍କ ମଧ୍ୟରେ ସେତୁ ରୂପେ ଦାୟିତ୍ୱ ସଂପାଦନ କରିପାରିବ । କାରଣ ଏହା ସେହିଭଳି ଏକ ସ୍ଥାନରେ ଅବସ୍ଥାପିତ ଯାହାର କାର୍ଯ୍ୟପରିସରର ବ୍ୟାପକ ବ୍ୟାପ୍ତି ରହିଛି ଏବଂ ବ୍ୟାପକ ସଂସ୍ଥାମାନଙ୍କ ସହିତ ସହଭାଗୀତା ରହିଛି । ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଇଣ୍ଟରପୋଲ ସାଧାରଣ ପରିଷଦ ବୈଠକ ଏହି ପ୍ରସଙ୍ଗ ଉପରେ ନିର୍ଦ୍ଦିଷ୍ଟ ଭାବେ ଧ୍ୟାନ କେନ୍ଦ୍ରିତ କରୁ, ଯାହାକି ସର୍ବାଧିକ ମହତ୍ତ୍ୱ ବହନ କରେ ।

ପ୍ରଥମେ ଆମ ଶିଶୀ – ସର୍ବଦା ଓ ସର୍ବତ୍ର ।

ଏହା ହିଁ ବୈଶ୍ୱିକ ସମୁଦାୟର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ହେବା ଉଚିତ ।