ସିଲଂ: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସୀମାନ୍ତରେ ଭାରତ-ଚୀନ୍ ସେନା ମଧ୍ୟରେ ଠେଲାପେଲା ହାତାହାତି ମରାମରି ମହାନାଟକର ଯବନିକାପାତ ଘଟିବାର ୨୨ ଘଂଟା ପରେ ପାଟି ଫିଟାଇଛି ଚୀନ । ତୱାଙ୍ଗ ସଂଘର୍ଷ ପାଇଁ ଚୀନ୍ ଭାରତୀୟ ସେନାକୁ ଦାୟୀ କରି କହିଛି, ଭାରତୀୟ ସେନା ବେଆଇନ ଭାବେ ଚୀନସୀମା ଭିତରେ ପ୍ରବେଶ କରିବାରୁ ବିବାଦର ସୂତ୍ରପାତ ହେଲା ।
ମୋଦୀ ସରକାର କହିଛନ୍ତି, ଚୀନସେନା ଅରୁଣାଚଳ ପ୍ରଦେଶ ସୀମା ଭିତରକୁ ବେଆଇନ ଭାବେ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଥିଲେ ମାତ୍ର ଭାରତୀୟ ସେନା ସେମାନଙ୍କ ହୀନ ଉଦ୍ଦେଶ୍ୟକୁ ପଣ୍ଡ କରିଛି । ସଂଘର୍ଷରେ ଜଣେ ବି ଭାରତୀୟ ଯବାନ ସହିଦ ହୋଇନାହାନ୍ତି କି ଗୁରୁତର ଆହତ ହୋଇନାହାନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସୂତ୍ରରୁ ପ୍ରକାଶ ।
ପିଏଲ୍ଏର ପଶ୍ଚିମାଂଚଳ କମାଣ୍ଡ ମୁଖପାତ୍ର ଲଙ୍ଗ ଶାଓ ହୁଆ କହିଛନ୍ତି, ଭାରତ ସୀମାନ୍ତରେ ମୁତୟନ ଯବାନମାନଙ୍କ କଡ଼ା ନିୟନ୍ତ୍ରଣ ଭିତରେ ରଖାଯାଉ ଓ ଚୀନ ସହିତ ମିଶି ସୀମାନ୍ତରେ ଶାନ୍ତିପୂର୍ଣ୍ଣ ସ୍ଥିତି ବଜାୟ ରଖନ୍ତୁ । ଭାରତୀୟ ସେନା ବେଆଇନ ଭାବେ ଚୀନ୍ ସୀମା ଭିତରକୁ ପ୍ରବେଶ କରୁଥିବା ସମୟରେ ପିଏଲ୍ଏ ପାଟ୍ରୋଲିଂ ହାବୁଡ଼ରେ ପଡ଼ିଗଲା; ଫଳରେ ଉଭୟ ଦେଶର ସେନା ଭିତରେ ଗଣ୍ଡଗୋଳର ସୂତ୍ରପାତ ହେଲା ।
ପିଏଲ୍ଏ ପ୍ରବକ୍ତା ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ ଚୀନ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଏକ ବିଜ୍ଞପ୍ତି ଜାରି କରି ସୀମାନ୍ତ ସ୍ଥିତି ଏବେ ଠିକ୍ଠାକ୍ ଅଛି ବୋଲି ଜଣାଇଥିଲା । ଦୁଇଦେଶର ସେନା ସଂଘର୍ଷ ପଛରେ ଚୀନର ଯୋଜନାବଦ୍ଧ ଷଡ଼ଯନ୍ତ୍ରକୁ ଦାୟୀ କରାଯାଇଛି । ଚୀନସେନା ହାତରେ ଲାଠି ଓ କଟିଲି ଧରି ତୱାଙ୍ଗ ସୀମାନ୍ତରୁ ଭାରତୀୟ ଘାଟି ହଟାଇବାକୁ ଅପଚେଷ୍ଟା କରୁଥିଲା । ମାତ୍ର ଭାରତୀୟ ସେନାଠାରୁ ଠିକଣା ଜବାବ ପାଇ ପଳାୟନ କରିଥିଲା ।