କିବିଥୁ: ଯାହା ଆମ ପାଇଁ ସାଧ୍ୟାତୀତ; ତାହାକୁ ଚୀନ ଚଟାପଟ୍ କରି ଦେଉଛି । ଏଇ ହେଉଛି ଭାରତ ଓ ଚୀନର ସୀମାନ୍ତ ଇଲାକା କଥା । ଆସାମ ସମତଳ ଅଂଚଳରେ କିବିଥୁ ନିକଟରେ ଲାଇନ୍ ଅଫ୍ କଂଟ୍ରୋଲ ଆଡ଼କୁ ଆଗେଇବା ମାତ୍ରେ ମୋବାଇଲ ନେଟୱାର୍କ ପାଉ ନଥିବା ଅନୁଭବ କରିହୁଏ । ପ୍ରାୟ ୨୩୦ କିଲୋମିଟର ଆଗକୁ ଗଲେ ହେୟୁଲିୟାଙ୍ଗ ପର୍ଯ୍ୟନ୍ତ ୪ଜି ମୋବାଇଲ ନେଟ୍ୱାର୍କ ରହିଛି ।
ଆପଣ ଭାବିପାରନ୍ତି ଯେ ସେଠାରେ ଭାରତର ମୋବାଇଲ ନେଟୱାର୍କ କାମ କରୁଛି । ଆଦୌ ନୁହେଁ; ସେଠାରେ ଚୀନ ମୋବାଇଲ ନେଟ୍ କାମ କରୁଛି । ହେୟୁଲିୟାଙ୍ଗ ନିକଟରୁ କିବିଥୁର ଦୂରତା ପ୍ରାୟ ୧୩୦ କିଲୋମିଟର ।
ଏସବୁ ଜଣାଇବା ପଛରେ ଆମେ ଭାରତ ସୀମାନ୍ତରେ ଚୀନ ଅନ୍ତର୍ଘାତୀ କାର୍ଯ୍ୟକଳାପ ଚାଲିଥିବାର ସୂଚନା ଦେଇଛୁ । ଭାରତ-ଚୀନ ପ୍ରକୃତ ସୀମା ନିୟନ୍ତ୍ରଣ ରେଖା ନିକଟରେ ଆମ ନେଟୱାର୍କ ଅଚଳ ପ୍ରାୟ; ମାତ୍ର ଚୀନ ନେଟୱାର୍କ ସଂପୂର୍ଣ୍ଣ ସକ୍ରୀୟ । ଏପରିକି ସୀମା ନିକଟରେ ଅବସ୍ଥିତ ଭାରତୀୟ ଗ୍ରାମଗୁଡ଼ିକରେ ମଧ୍ୟ ଚୀନ୍ ମୋବାଇଲ ନେଟୱାର୍କ କାମ କରୁଛି ।
ପ୍ରକୃତ ସୀମାରେଖା ନିକଟରୁ ପ୍ରାୟ ୩/୪ କିଲୋମିଟର ଦୂରତାରେ ଚୀନ ପ୍ରତିରକ୍ଷା ଘାଟି ପ୍ରତିଷ୍ଠା କରିବା ସହିତ ସଡ଼କ, ପୋଲ, ମୋବାଇଲ ଟାୱାର, ଡାକ୍ତରଖାନା, ବିଦ୍ୟାଳୟ ଓ ଜନବସତି ପ୍ରତିଷ୍ଠା କରୁଛି ।
କିବିଥୁ ସେନା ଘାଟିକୁ ଆସୁଥିବା ମୋବାଇଲ ନେଟ୍ୱାର୍କ ମେସେଜ ଆସୁଛି ‘ୱେଲକମ୍ ଟୁ ଚାଇନା’ । ରୋମିଙ୍ଗ ପ୍ୟାକ୍ ଚୟନ କରିବା ପାଇଁ ସୁଯୋଗ ମିଳୁଛି । ସୀମାନ୍ତ ଅଂଚଳରେ ଚୀନ ତା’ର ମୋବାଇଲ ଟାୱାର ବସାଇବା ସହିତ ଆହୁରି ଅନେକ ଭିତିଭୂମି କାର୍ଯ୍ୟ ଚାଲୁରଖିଛି । ଏସବୁ ଜାଣିବା ପରେ ଭାରତ ଚୁପଚାପ ବସିଯିବା ଉଚିତ ନୁହେଁ ।