ଚୀନ୍ ଅଡ଼ୁଆ: ସେନା ସଜାଗ, ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୯, ୩୦ ତାରିଖ ରାତିରେ ଯାହା ଘଟିଲା ତାହା ଆଦୌ ସହ୍ୟ କରିବା ମୁଡ଼ରେ ନାହିଁ ଚୀନ୍। ଭାରତୀୟ ସେନାର ଆଗୁଆ ପଦକ୍ଷେପକୁ ନେଇ ରକ୍ତ ଚାଉଳ ଚୋବାଉଛି ଡ୍ରାଗନ୍। ଏ ଭିତରେ ବିବାଦ ସମାଧାନ ନେଇ ଆଜି ପୁଣି ଦ୍ବିପାକ୍ଷିକ ଆଲୋଚନା ଚାଲିଛି। ତଥାପି ସମସ୍ତ ପରିସ୍ଥିତିର ମୁକାବିଲା ଲାଗି ସେନାକୁ ଆଲର୍ଟ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।

ଦକ୍ଷିଣ ପାଙ୍ଗୋଙ୍ଗ ହ୍ରଦ ଘଟଣାକୁ ନେଇ ଆଜି ଭାରତ-ଚୀନ୍ ମଧ୍ୟରେ ବ୍ରିଗେଡ଼୍ କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଛି। ଦିନ ୧୦ଟାରୁ ଏହି ବୈଠକ ଚୁସୁଲ୍ ଠାରେ ଆରମ୍ଭ ହୋଇଥିବା ଭାରତୀୟ ସେନା ସୁତ୍ରରୁ ଖବର ମିଳିଛି। ଇତିମଧ୍ୟରେ ଭାରତ-ଚୀନ୍, ଭାରତ-ନେପାଳ ଓ ଭାରତ-ଭୁଟାନ ସୀମାରେ ସୁରକ୍ଷାକର୍ମୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରଣାଳୟ। ୩୧ ତାରିଖ ଦିନ ଆଲୋଚନା ବେଳେ ଚୀନ୍ ସେନା ବିକଳିଆ ହୋଇ ଅନୁପ୍ରବେଶ ଉଦ୍ୟମ କରିଥିବାରୁ ଏଥର ମଧ୍ୟ ଦୃଷ୍ଟି ରଖାଯାଇଛି।

ଭାରତ ତିବ୍ଦତ ସୀମା ପୋଲିସ ବଳ(ଆଇଟିବିପି) ଓ ସଶସ୍ତ୍ର ସୀମା ବଳ(ଏସଏସବି)କୁ ଆର୍ଲଟ କରିଦିଆଯାଇଛି। ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଲଦାଖ ଓ ସିକିମ ସୀମାରେ ଆଇଟିବିପିକୁ ଆର୍ଲଟ ରହିବାକୁ ନିର୍ଦେଶ ଦିଆଯାଇଛି। ଏହାଛଡା ଭାରତ-ନେପାଳ-ଚୀନ୍ ଟ୍ରାଇ ଜଙ୍କସନ ଓ ଉତ୍ତରାଖଣ୍ଡରେ ମୁତୟନ ଏସଏସବି ଓ ଆଇଟିବିପି ଯବାନଙ୍କୁ ସତର୍କ ରହିବାକୁ କୁହାଯାଇଛି।