ତାଇୱାନ ବାୟୁସୀମାରେ ପଶିଲା ଚୀନ ଲଢୁଆ ବିମାନ

ଚୀନ ଯୁଦ୍ଧ ବିମାନର ଅନୁପ୍ରବେଶ ନେଇ ତାଇୱାନ ପକ୍ଷରୁ ମଧ୍ୟ ଦାବି କରାଯାଇଥିବା ଦେଖିବାକୁ ମିଳିଛି…

ତାଇପେଇ : ଚୀନ-ତାଇୱାନ ବିବାଦ ମଧ୍ୟରେ ଜାରି ରହିଥିବା ତିକ୍ତତା କ୍ରମଶଃ ବଢିବାରେ ଲାଗିଛି । ଆଜି ତାଇୱାନ ଗସ୍ତରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ସ୍ପିକର ନାନ୍ସି ପେଲୋସି ସ୍‌ବେଦେଶ ଫେରିବା ପରେ ପୁଣି ଶକ୍ତି ପ୍ରଦର୍ଶନ କରିଛି ଚୀନ । ତାଇୱାନ ବାୟୁସୀମାରେ ଚୀନ ବାୟୁସେନାର ୨୭ରୁ ଅଧିକ ଲଢୁଆ ବିମାନ ପ୍ରବେଶ କରିଥିବା ଖବର ପ୍ରସାରିତ ହୋଇଛି । ଚୀନ ଯୁଦ୍ଧ ବିମାନର ଅନୁପ୍ରବେଶ ନେଇ ତାଇୱାନ ପକ୍ଷରୁ ମଧ୍ୟ ଦାବି କରାଯାଇଥିବା ଦେଖିବାକୁ ମିଳିଛି । ଗତକାଲି ମଧ୍ୟ ଏପରି ସମାନ ଘଟଣା ଦେଖିବାକୁ ମିଳିଥିଲା ।

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଥିଲା, ଚୀନ ସେନାର ୨୧ ଲଢୁଆ ବିମାନ ତାଇୱାନ ବାୟୁସୀମାରେ ପ୍ରବେଶ କରିଥିଲେ । ଦ୍ୱୀପରାଷ୍ଟ୍ର ତାଇୱାନର ଦକ୍ଷିଣ-ପଶ୍ଚିମ ବାୟୁସୀମାର ପ୍ରବେଶ କରି ଏହି ଲଢୁଆ ବିମାନଗୁଡିକ କିଛି ସମୟ ଶକ୍ତି ପ୍ରଦର୍ଶନ କରି ପୁଣି ଫେରି ଯାଇଥିଲା । ଚୀନ ବାୟୁସେନା ତାଇୱାନକୁ କ୍ରମାଗତ ଭୟଭୀତ କରିବାରେ ଲାଗିଛି ।