ଓବାମାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ବିରୋଧରେ ଅଭିଯୋଗ ଦାଖଲ । ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲା କୋର୍ଟରେ ଏନେଇ ଏକ ଅଭିଯୋଗ ଦାଖଲ କରାଯାଇଛି। ଅଲ ଇଣ୍ଡିଆ ରୁରାଲ ବାର ଆସୋସିଏସନର ରାଷ୍ଟ୍ରୀୟ ସଭାପତି ଜ୍ଞାନ ପ୍ରକାଶ ଶୁକ୍ଲା ଲାଲଗଞ୍ଜ ସିଭିଲ କୋର୍ଟରେ ଏହି ଅଭିଯୋଗ କରିଛନ୍ତି। ଓବାମାଙ୍କ ପୁସ୍ତକରେ ରାହୁଲ-ମନମୋହନଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଓବାମାଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ଡିସେମ୍ବର ୧ରେ ଏହା ଉପରେ ଶୁଣାଣି ହେବ ବୋଲି ଜଣା ପଡ଼ିଛି।

ଜ୍ଞାନ ପ୍ରକାଶ ଶୁକ୍ଲା କହିଛନ୍ତି ଯେ, ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିରୋଧରେ ଅଯଥା ବିବୃତି ଦେଇ ଭାରତର ନିର୍ବାଚନ ବ୍ୟବସ୍ଥାକୁ ଅବମାନନା କରିଛନ୍ତି ଏବଂ ନିର୍ବାଚନ ଆୟୋଗ ପରି ନିୟାମକ ସଂସ୍ଥା ସହିତ ସମ୍ବିଧାନ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ସୂଚନା ଅନୁସାରେ , କିଛି ଦିନ ତଳେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ବରାକ ଓବାମା ତାଙ୍କ ଆତ୍ମଜୀବନୀ ‘ଏ ପ୍ରମିସଡ୍ ଲାଣ୍ଡ’ରେ ଲେଖି ନିଜର ଅନୁଭୂତି ବାଣ୍ଟିଥିଲେ। ଏହି ପୁସ୍ତକ ଭାରତରେ ମଧ୍ୟ ଆଲୋଚନାର ବିଷୟ ପାଲଟିଥିଲା, କାରଣ ଏହି ପୁସ୍ତକ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଅନ୍ୟ କେତେକଙ୍କ ବିଷୟରେ ଉଲ୍ଲେଖ କରାଯାଇଥିଲା।