ସିଙ୍ଘୁ ସୀମାରେ ଚାଷୀ ଓ ସ୍ଥାନୀୟଲୋକଙ୍କ ମଧ୍ୟରେ ସଂଘର୍ଷ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦିଲ୍ଲୀ-ହରିଆଣର ସିଙ୍ଘୁ ସୀମାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରକୁ କିଛି ଲୋକ ଆଜି ପଥର ମାଡ଼ କରିଛନ୍ତି। ସେହିପରି ଏଠାରେ ଥିବା ସେମାନଙ୍କ ଟେଣ୍ଟ ଗୁଡ଼ିକୁ ଭାଙ୍ଗିବା ସହ ଅନ୍ୟାନ୍ୟ ସମ୍ପତ୍ତିଗୁଡ଼ିକୁ ମଧ୍ୟ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ଏହାକୁ ନେଇ ସିଙ୍ଘୁ ସୀମା ପୁଣିଥରେ ଅଶାନ୍ତ ହୋଇପଡ଼ିଛି। ପୁଲିସ୍‌ ବି ଚାଷୀଙ୍କୁ ଆନ୍ଦୋଳନ ସ୍ଥଳ ଖାଲି କରିବା ସହ ଟେଣ୍ଟ ଗୁଡ଼ିକ ହଟାଇବାକୁ ଚେଷ୍ଟା କରିଛି। ସ୍ଥାନୀୟ ଅଞ୍ଚଳର ତଥାକଥିତ ଲୋକ ଓ ପୁଲିସ୍‌ର ଏପରି ବଳପୂର୍ବକ କାର୍ଯ୍ୟାନୁଷ୍ଠାନକୁ ଚାଷୀମାନେ ବିରୋଧ କରିଛନ୍ତି। ସ୍ଥିତି ବିଗିଡ଼ିବାରୁ ପୁଲିସ୍‌ ଲାଠିଚାର୍ଜ ସହ ଟିୟର ଗ୍ୟାସ ପ୍ରୟୋଗ କରିଛି। ସେହିପରି ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବଳୟର ବ୍ୟବସ୍ଥା କରାଯାଇଥିବା ବେଳେ କେମିତି ସ୍ଥାନୀୟ ଅଞ୍ଚଳର ଲୋକ ଟେଣ୍ଟ ପାଖରେ ପହଞ୍ଚିଲେ, ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।