ୟୁପିରେ ତେଜୁଛି ସାଂପ୍ରଦାୟିକ ହିଂସା

ଦୁଇ ମୁସଲିମଙ୍କୁ ଆଖିବୁଜି ପିଟିଲେ ନିଶାଗ୍ରସ୍ତ ……

ଲକ୍ଷେ୍ନø: ୟୁପିର ଗାଜିଆବାଦରେ ଦୁଇଜଣ ମୁସଲିମ ଯୁବକଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଭାଇରାଲ ହୋଇଛି । ମାଡ଼ ଖାଉଥିବା ଯୁବକଙ୍କ ଭିତରୁ ଜଣେ ମସଜିଦର ଇମାମ ହୋଇଥିଲା ବେଳେ ଅନ୍ୟ ଜଣକ ବୁଲା ବେପାରୀ । ନିଶାରେ ଚୁର ଦୁଇଜଣ ଯୁବକ ସେମାନଙ୍କୁ ଅଟକାଇ ପାକିସ୍ତାନ ନାଗରିକ ଭାରତକୁ ଆସି ବୋମା ପକାଇବାର ଷଡ଼ଯନ୍ତ୍ର କରୁଛ କହି ଭୀଷଣ ମାଡ଼ ମାରିଥିଲେ । ସ୍ଥାନୀୟ ଲୋକମାନେ ଉଭୟଙ୍କୁ ନିଶାସକ୍ତ ଯୁବକଙ୍କ କବଳରୁ ରକ୍ଷା କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଦୁଇ ଅଭିଯୁକ୍ତଙ୍କୁ ଧରି ଥାନାକୁ ନେଇଥିଲା ।

ଧାର୍ମିକ ଭାବନା ଉପରେ ଆଘାତ କରିଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସୂଚନା ମୁତାବକ ଗତ ଗୁରୁବାର ଗାଜିଆବାଦର ମୋଦୀନଗର ଇଲାକାରେ ଏହି ଘଟଣା ଘଟିଛି । ନିଶାଗ୍ରସ୍ତ ଦୁଇ ଯୁବକ ପ୍ରଥମେ ମସଜିଦର ଇମାମଙ୍କୁ ଅଟକାଇ ମାଡ଼ ମାରିଥିଲେ । ପରେପରେ ବୁଲା ବେପାରୀ ଜଣକ ସେହି ବାଟ ଦେଇ ଯାଉଥିଲା ବେଳେ ଅସାମାଜିକ ଯୁବକଙ୍କ ହାବୁଡ଼ରେ ପଡ଼ିଥିଲେ ।

ମାଡ଼ ଖାଇଥିବା ଇମାମ ଅସଜଦ ସଂଜୟପୁରୀ ମସଜିଦରେ ରୁହନ୍ତି । ସେ କହିଛନ୍ତି, ସେପ୍ଟେମ୍ବର ଅପରାହ୍ଣ ସାଢେ଼ ପାଂଚଟାରେ ମୁଁ ନମାଜ ପଢ଼ିସାରିବା ପରେ ବୁଦାନା ରାସ୍ତାରେ ଯାଉଥିଲି । ସ୍କୁଟି ଚଢ଼ି ଯାଉଥିବା ଦୁଇଜଣ ନିଶାଗ୍ରସ୍ତ ଯୁବକ ମୋତେ ଗୋଶାଳା ନିକଟରେ ଅଟକାଇଲେ । ମୋତେ ‘ଭାରତ ମାତା କି ଜୟ’ ଓ ‘ଜୟ ଶ୍ରୀରାମ’ ନାରା ଲଗାଇବାକୁ ଧମକ ଦେଲେ ।

ମୋତେ ମାଡ଼ ମାରି ଜୀବନରୁ ମାରିଦେବାକୁ ଧମକ ଦେଲେ । ସେମାନଙ୍କ ମାଡ଼ ଓ ଧମକରେ ମୁଁ ଡରିଗଲି । କୌଣସିମତେ ସେମାନଙ୍କ କବଳରୁ ଖସିଯାଇ ଶସ୍ୟକ୍ଷେତ୍ରରେ ଲୁଚିଗଲି । ପରେପରେ ମୁଁ ମସଜିଦକୁ ଫୋନ୍‌ କରି ସବୁ ବିଷୟ କହିଲି । ମସଜିଦରୁ ଲୋକମାନେ ଆସିବାରୁ ସାହସ ଜୁଟାଇ ଶସ୍ୟକ୍ଷେତ୍ରରୁ ବାହାରିଲି ।