ମୃତକଙ୍କ ପରିଜନଙ୍କୁ କ୍ଷତିପୂରଣ ଦିଆଯିବ

କୋଭିଡ୍‌ ଟିକାର ପାଶ୍ୱର୍ ପ୍ରତିକ୍ରିୟାରୁ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କୋଭିଡ୍‌ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ……

ନୂଆଦିଲ୍ଲୀ: କୋଭିଡ୍‌ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଇଁ ଏକ ଦୋଷହୀନ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ପ୍ରଭାବିତ ପରିବାରକୁ ଆଶ୍ୱସ୍ତି ମିଳିବ।
କୋଭିଡ୍‌-୧୯ ସମୟରେ ଟିକାକରଣ ଏକ ସୁରକ୍ଷା କବଚ ଥିଲା, କିନ୍ତୁ କିଛି ପରିବାର ପାଇଁ ଏହି ସୁରକ୍ଷା ଏକ ଗଭୀର କ୍ଷତ ଛାଡ଼ିଯାଇଥିଲା। ବହୁ ଦିନ ଧରି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଏହା ଫଳରେ ମୃତ୍ୟୁ ସମ୍ପର୍କରେ ଆଇନଗତ ମହଲରେ ଏକ ବିତର୍କ ଚାଲିଛି।

ସୁପ୍ରିମକୋର୍ଟ ଏହି ମାମଲାରେ ଏକ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଦେଇଛନ୍ତି। ଯାହା ସିଧାସଳଖ ପ୍ରିୟଜନଙ୍କୁ ହରାଇଥିବା ସାଧାରଣ ନାଗରିକଙ୍କୁ ସହାୟତା ପ୍ରଦାନ କରିବ। ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଟିକାକରଣ ଦ୍ୱାରା ହେଥିବା କ୍ଷତି ପାଇଁ ଏକ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଇନଗତ ଲଢେଇ ସେହି ପିତାମାତାଙ୍କ ସଂଘର୍ଷର କାହାଣୀ ବଖାଣୁଛି ଯେଉଁମାନଙ୍କର ଦୁଇ ଝିଅଙ୍କର କୋଭିଡ୍‌ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ମୃତ୍ୟୁ ଘଟିଥିଲା। ପିଲାମାନଙ୍କୁ ହରାଇବା ପରେ ପିତାମାତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏପରି ମୃତ୍ୟୁର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଦାବି କରିଥିଲେ। ସେମାନଙ୍କ ଆବେଦନର ଏକ ଅତ୍ୟନ୍ତ ମାନବିକ ଦିଗ ଥିଲା। ସେମାନେ ଚାହୁଁଥିଲେ ଯେ ସରକାର ଏପରି ନିର୍ଦ୍ଦେଶାବଳୀ ବିକଶିତ କରନ୍ତୁ ଯାହା ଭବିଷ୍ୟତରେ ପାର୍ଶ୍ୱ ପ୍ରତିକ୍ରିୟାର ସମୟସୀମା ଚିହ୍ନଟ କରିପାରିବ ଏବଂ ପୀଡିତମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବାକୁ ନିଶ୍ଚିତ କରିବ। ସୁପ୍ରିମକୋର୍ଟ ସେମାନଙ୍କ ଯନ୍ତ୍ରଣା ବୁଝି ସ୍ୱୀକାର କରିଛନ୍ତି, ଯେଉଁ ପରିବାରଗୁଡ଼ିକ ଟିକା ଯୋଗୁଁ ସଦସ୍ୟମାନଙ୍କୁ ହରାଇଛନ୍ତି ସେମାନଙ୍କୁ ଏକା ଛାଡି ଦିଆଯାଇପାରିବ ନାହିଁ।

ଆଦେଶରେ, ସୁପ୍ରିମକୋର୍ଟ ନୋ-ଫଲ୍ଟ ଆଧାର ବା କାହାର ଦୋଷ ତାହା ନ ପଚାରି କ୍ଷତିପୂରଣ ଦିଆଯିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ନୀତିକୁ ପ୍ରବର୍ତନ କରିଛନ୍ତି। ଏହାର ସରଳ ଅର୍ଥ ହେଉଛି କ୍ଷତିପୂରଣ ପ୍ରଦାନ କରିବା ସମୟରେ, କିଏ ଦୋଷୀ ଥିଲା ସେ ବିଷୟରେ କୌଣସି ବିତର୍କ ହେବ ନାହିଁ, ଟିକା ନିର୍ମାତା କି ସରକାର। ପ୍ରଭାବିତ ପରିବାରକୁ କେବଳ ଟିକା ଯୋଗୁଁ କ୍ଷତି ସହିଥିବାରୁ ସେମାନଙ୍କୁ ସହାୟତା ଦିଆଯିବ। କୋର୍ଟ ଏକ ସନ୍ତୁଳନ ବଜାୟ ରଖି ସ୍ପଷ୍ଟ କରିଛନ୍ତି, ଏହି କ୍ଷତିପୂରଣକୁ ସରକାରଙ୍କ ପକ୍ଷରୁ କୌଣସି ବିଫଳତା କିମ୍ବା ଦୋଷ ସ୍ୱୀକାର ଭାବରେ ଦେଖାଯିବା ଉଚିତ ନୁହେଁ।

କ୍ଷତିପୂରଣ ସମ୍ପର୍କରେ କୋର୍ଟ କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିବା ବେଳେ, କିଛି ଦାବି ଉପରେ ସରକାରଙ୍କ ବିଦ୍ୟମାନ ଗଠନ ଉପରେ ମଧ୍ୟ ଆସ୍ଥା ପ୍ରକାଶ କରିଛନ୍ତି। ଆବେଦନକାରୀ ମାନେ ମୃତ୍ୟୁର ତଦନ୍ତ ପାଇଁ ଏକ ନୂତନ ବିଶେଷଜ୍ଞ କମିଟି ଗଠନ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ କୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି କେନ୍ଦ୍ର ସରକାରଙ୍କ ପାଖରେ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ନଜର ରଖିବା ପାଇଁ ପୂର୍ବରୁ ଏକ ବ୍ୟବସ୍ଥା ଅଛି ଏବଂ ବର୍ତମାନ ଏକ ନୂତନ କମିଟିର ଆବଶ୍ୟକତା ନାହିଁ।
କୋର୍ଟ ସର୍ତ ରଖିଛନ୍ତି, ଏହି ମନିଟରିଂ ସିଷ୍ଟମରୁ ପ୍ରାପ୍ତ ତଥ୍ୟକୁ ସମୟ ସମୟରେ ସାର୍ବଜନୀନ କରାଯିବା ଉଚିତ ଯାହା ଦ୍ୱାରା ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ବଜାୟ ରହିବ।