କଂଗ୍ରେସକୁ ଡୁବାଇବ ନେହୁରୁ ପରିବାର ପ୍ରତି ଦୁର୍ବଳତା

ଅଧ୍ୟକ୍ଷ ନିର୍ବାଚନକୁ ଅଳିଆମୁକ୍ତ ରଖିବା ପ୍ରତି ଗୁରୁତ୍ୱାରୋପ….

ନୂଆଦିଲ୍ଲୀ: ନେହୁରୁଙ୍କ ଦାୟାଦକୁ ମାଗଣାରେ ମିଳିଛି ଗାନ୍ଧୀ ଟାଇଟଲ୍‌ । ବୃଥା ଟାଇଟଲ ପଛରେ ନମାତି ଦଳକୁ କ୍ଷମତାକୁ ଆଣିବାର ଯୋଗ୍ୟତା ରଖିଥିବା ବ୍ୟକ୍ତିକୁ କଂଗ୍ରେସର ନେତୃତ୍ୱ ପ୍ରଦାନ କରିବାକୁ ଦଳ ଭିତରେ ଥିବା ଜି-୨୩ ନେତାମାନେ ଆହ୍ୱାନ ଦେଇଛନ୍ତି । ଜି-୨୩ ନେତାମାନେ ରାହୁଲ ଗାନ୍ଧୀଙ୍କ ଭିତରେ ଆତ୍ମବିଶ୍ୱାସ ଦେଖିବାକୁ ପାଉନାହାନ୍ତି । ଅପରିପକ୍ୱ ମସ୍ତିଷ୍କରେ ରାଜନୀତି କରିବା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । ସାରାଦେଶ ଭାରତୀୟ ସଂସଦର ଅଧିବେଶନ ଉପରେ ଦୃଷ୍ଟିନିବଦ୍ଧ କରିଥିଲା ବେଳେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୁଣ୍ଢାଇ ପୁଣି ନିଜ ସାଂସଦଙ୍କୁ ଅନାଇ ଆଖି ମାରିବା ବିକୃତ ମାନସିକତାର ପ୍ରତିଫଳନ ।

ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କୁ ଆଲିଙ୍ଗନ କରିବା ଖରାପ ନୁହେଁ, ମାତ୍ର ତାଙ୍କୁ କୁଣ୍ଢାଇ ସାରିବା ପରେ ଆଖି ମାରିବା ଅର୍ଥ ପ୍ରଧାନମନ୍ତ୍ରୀ ପଦବୀକୁ ଅପମାନ । ଏଭଳି ଚିନ୍ତାଧାରା ରଖିଥିବା ଲୋକକୁ ପ୍ରଧାନମନ୍ତ୍ରୀ ପଦରେ ବସାଇବା ଅର୍ଥ ନିଜକୁ ଆତ୍ମହତ୍ୟା କରିବା ସହ ସମାନ ବୋଲି ଓଡିଶାରେ କିଛି ବରିଷ୍ଠ କଂଗ୍ରେସକର୍ମୀ କହିଛନ୍ତି । ଇନ୍ଦିରା ଗାନ୍ଧୀଙ୍କ ଅମଳରୁ ଦଳରେ ରହି କାମ କରୁଥିବା କିଛି ବରିଷ୍ଠ କର୍ମୀ ରାହୁଲଙ୍କ ମତିଗତି ଉପରେ ଚିନ୍ତାବ୍ୟକ୍ତ କରିଛନ୍ତି ।

କଂଗ୍ରେସ ନେତା ମନିଷ ତିୱାରୀ, କାର୍ତୀ ଚିଦାମ୍ବରମ ଓ ଶଶି ଥରୁର ଅଧ୍ୟକ୍ଷ ନିର୍ବାଚନରେ ସ୍ୱଚ୍ଛତା ରକ୍ଷା କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି । ୨୦୦୦ରେ କଂଗ୍ରେସ ଅଧ୍ୟକ୍ଷ ପାଇଁ ସୋନିଆ ଗାନ୍ଧୀ ଓ ଜିତେନ୍ଦ୍ର ପ୍ରସାଦଙ୍କ ଭିତରେ ଲଢେ଼ଇ ଚାଲିଥିଲା । ମତଦାନ ପରେ ଦଳର ସଭ୍ୟ ତାଲିକା ପ୍ରତି ସନ୍ଦେହ ପ୍ରକାଶ କରିଥିଲେ ଜିତେନ୍ଦ୍ର ପ୍ରସାଦଙ୍କ ଗୋଷ୍ଠୀ । ମତଦାନ ପୂର୍ବ ତାଲିକା ଓ ମତଦାନ ସମୟର ତାଲିକାରେ ବହୁତ ଫରକ ଦେଖିବାକୁ ମିଳିଥିଲା । ସଂକ୍ଷେପରେ କହିଲେ, ସୋନିଆ ଗାନ୍ଧୀଙ୍କୁ ଜିତାଇବା ପାଇଁ କଂଗ୍ରେସ ସଭ୍ୟ ତାଲିକାରେ ତଂଚକତା କରାଯାଇଥିବା ଅଭିଯୋଗ ଉଠିଥିଲା । ମାତ୍ର ସୋନିଆ ଗାନ୍ଧୀ ଜିତିବା ପରେ ଉକ୍ତ ଅଭିଯୋଗକୁ ସମାଧି ଦିଆଗଲା । ଏବର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ୨୦୦୦ ପରିସ୍ଥିତିର ପୁନରାଗମନ ଅପେକ୍ଷାରେ ରହିଛି ।