କଂଗ୍ରେସର ‘ଭାରତ ଯୋଡୋ’ ଏବେ ‘ଭାରତ ତୋଡୋ’

ଯୀଶୁଙ୍କୁ ଅସଲି ଭଗବାନ କହିଲେ ତାମିଲନାଡୁ ପାଦ୍ରୀ……

ନୂଆଦିଲ୍ଲୀ: କଂଗ୍ରେସର ‘ଭାରତ ଯୋଡୋ’ ଅଭିଯାନ ଏବେ ‘ଭାରତ ତୋଡୋ’ ଆଡକୁ ମୁହାଁଇଲାଣି । ତାମିଲ ପାଦ୍ରୀ ଜର୍ଜ ପୋନୈୟାଙ୍କ ବିବାଦୀୟ ବୟାନ ‘ଭାରତ ଯୋଡେ଼ା’ ଆଭିମୁଖ୍ୟକୁ ପାଣିଚିଆ କରିଦେଇଛି । ପାଦ୍ରୀଜଣକ ଯୀଶୁଙ୍କ ପ୍ରକୃତ ଭଗବାନ କହି ହିନ୍ଦୁଧର୍ମର ନିରାକାର ଶକ୍ତିକୁ ଈଶ୍ୱର ମାନିବାକୁ ମନା କରିଛନ୍ତି । ସେ କହିଛନ୍ତି, ଭଗବାନ ସ୍ୱୟଂ ମଣିଷ ଅବତାର ଗ୍ରହଣ କରିଥାନ୍ତି । ନିର୍ଦ୍ଦିଷ୍ଟ ଆକାର ବା ରୂପ ନେଇଥାନ୍ତି । ଶକ୍ତି ସ୍ୱରୂପ ନୁହେଁ । ଖାସ ସେଇଥିପାଇଁ ଆମେମାନେ ପ୍ରତ୍ୟେକ ମଣିଷ ଭିତରେ ଭଗବାନଙ୍କ ଦର୍ଶନ କରିଥାଉ ।

ଭାରତ ଯୋଡୋ’ ଅଭିଯାନ ଭିତରେ ପାଦ୍ରୀ କୋଉଠୁ ଆସିଲେ । ପ୍ରକୃତ କଥା ହେଉଛି, ‘ଭାରତ ଯୋଡୋ’ ଅଭିଯାନରେ ବାଟ ଚାଲୁଚାଲୁ ରାହୁଲ ଗାନ୍ଧୀ ତାମିଲନାଡୁର ଗୋଟିଏ ଚର୍ଚ୍ଚ ଭିତରେ ପଶିଲେ । ସେଠାରେ ପାଦ୍ରୀଙ୍କୁ ଭେଟି ପଚାରିଲେ, ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କ ଏକ ରୂପ ନା? ତହୁଁ ପାଦ୍ରୀ କହିଲେ, ପ୍ରଭୁଯୀଶୁ ହିଁ ଅସଲ ଭଗବାନ୍‌ । ବାସ୍‌ ତା’ପରେ ଆଉ କିଛି କହିବାକୁ ପଡିଲାନି । କଂଗ୍ରେସର ‘ଭାରତ ଯୋଡୋ’ରେ ଭାଗ ନେଇଥିବା ଲୋକଙ୍କ ମୁହଁ ଶେତା ପଡ଼ିଗଲା ।

ହିନ୍ଦୁବହୁଳ ରାଷ୍ଟ୍ରରେ ଯୀଶୁଖ୍ରୀଷ୍ଟଙ୍କୁ ମୁଣ୍ଡରେ ବସାଇଥିବା ପାଦ୍ରୀଙ୍କ ବୟାନକୁ ରାହୁଲ ନିରବତାର ସହ ଗ୍ରହଣ କଲେ । ସେତେବେଳେ କେହି ରାହୁଲ କି ପାଦ୍ରୀଙ୍କ ମୁହଁରେ ପ୍ରତିବାଦ କଲେନାହିଁ । ମାତ୍ର ପଦଯାତ୍ରାରେ ତା’ର ଝଲକ ଦେଖିବାକୁ ମିଳିଲା । ପାଦ୍ରୀ ପୋନୈୟାଙ୍କୁ ସାକ୍ଷାତ କରି ରାହୁଲ ଖୋଦ୍‌ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି । ‘ଭାରତ ଯୋଡୋ’ ଭାରତକୁ ଯୋଡ଼ିବା ପାଇଁ ଏକ ଅଭିଯାନ ଥିଲା । ଧାର୍ମିକ କାର୍ଡ ଖେଳି ରାହୁଲ ତାକୁ ‘ଭାରତ ତୋଡୋ’ କରିଛନ୍ତି । ତାମିଲନାଡୁରୁ ଆରମ୍ଭ ‘ଭାରତ ତୋଡୋ’ ଜମ୍ମୁ-କଶ୍ମୀରରେ ପହଂଚିଲା ବେଳକୁ ଆଉ କି’ ଅଭିଯାନକୁ ମୁଣ୍ଡାଉଛି, ତାହା ଦେଖିବାକୁ ବାକି ରହିଲା ।

କଥା ହେଉଛି, ପାଦ୍ରୀ ପୋନୈୟାଙ୍କ ଅତୀତ ଭାରି ଜଟିଳ । ଗତବର୍ଷ ଜୁଲାଇରେ ପୋନୈୟାଙ୍କୁ ମଦୁରାଇରେ ଗିରଫ କରାଯାଇଥିଲା । ଜୁଲାଇ ୧୮ ତାରିଖରେ ଅରୁମନାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କରୋନା କାଳରେ ସରକାରଙ୍କ ଚର୍ଚ୍ଚକୁ ବନ୍ଦ ରଖିବା ଓ ସମୂହ ପ୍ରାର୍ଥନା ପ୍ରତି କଟକଣା ନିଷ୍ପତିକୁ କଠୋର ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ତୀବ୍ର ସମାଲୋଚନା କରିଥିଲେ । ପୋନୈୟା କହିଥିଲେ, ମୁଁ ଦୃଢ଼ତାର ସହ ଲେଖିଦେଉଛି ଯେ ମୋଦୀଙ୍କ ଅନ୍ତିମ ସମୟ ବଡ଼ ଦୟନୀୟ ହେବ । ମାମଲା ବିବାଦ ଆଡ଼କୁ ମୁହାଁଇବା ପୂର୍ବରୁ ପୋନୈୟା କ୍ଷମା ମାଗିନେଲେ ।

ଇଏ ସେହି ପାଦ୍ରୀ ଯେ ଭାରତ ମାତାଙ୍କୁ ଅପମାନ କରିଛନ୍ତି । ମନ୍ଦିର ଭିତରକୁ ଯିବା ପୂର୍ବରୁ ପାଦରୁ ଚପଲ କାଢ଼ିବା ପ୍ରତି ପାଦ୍ରୀଙ୍କ ଟିପ୍ପଣୀ ହେଉଛି, ‘ଆମ ସଂସ୍କୃତି ଲୋକଙ୍କୁ ଚପଲ ପିନ୍ଧିବାକୁ କହିଛି କାରଣ ଭାରତ ମାତାଙ୍କ ଅଳିଆ ଆମକୁ ଅଳିଆ କରି ନଦେଉ । ତାମିଲନାଡୁ ସରକାର ଆମକୁ ଚପଲ ଦେଇଛନ୍ତି । ଇଏ ମାଟି ବଡ଼ ମାରାତ୍ମକ; ୟା ଉପରେ ଖାଲିପାଦ ରଖିଲେ ଆମକୁ ଚର୍ମରୋଗ ହେବାର ଆଶଙ୍କା ରହିଛି ।’

ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା ତାଙ୍କ ପ୍ରତିକ୍ରିୟାରେ ପାଦ୍ରୀ ପୋନୈୟାଙ୍କୁ ସମାଲୋଚନା କରି କହିଛନ୍ତି, ଜର୍ଜ ପୋନୈୟାଙ୍କ ଭଳି ଲୋକମାନେ ‘ଭାରତ ଯୋଡୋ’ ଯାତ୍ରାକୁ ପୋଷ୍ଟରରେ ରଖି ଦେଇଛନ୍ତି । କଂଗ୍ରେସର ହିନ୍ଦୁ ବିରୋଧୀ ଆଭିମୁଖ୍ୟ ବେଶ ପୁରୁଣା । ଅନ୍ୟପକ୍ଷରେ କଂଗ୍ରେସ ନେତା ଜୟରାମ ରମେଶ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି । ରମେଶଙ୍କ ମତରେ ବିଜେପିଠାରୁ ଏଇଆ ଆଶା କରୁଥିଲୁ । କଂଗ୍ରେସର ‘ଭାରତ ଯୋଡୋ’ ଅଭିଯାନରେ ବିଜେପି ବିବ୍ରତବୋଧ କରିଛି ।