ଖର୍ଚ୍ଚକାଟ ଏକ ଆଳ: ‘ଏକ ରାଷ୍ଟ୍ର-ଏକକ ନିର୍ବାଚନ’
ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖର୍ଚ୍ଚକାଟକୁ ବଡ଼ କାରଣ ଭାବେ ଦର୍ଶାଉଛନ୍ତି । ଟଙ୍କାର ଅପଚୟକୁ ରୋକିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଯାହା କୁହାଯାଉଛି । ତାହା ଗୋଟିଏ ବିରାଟ ପ୍ରହସନ ଛଡ଼ା ଆଉ କିଛି ନୁହେଁ ବୋଲି ବୁଦ୍ଧିଜୀବୀ ସ୍ତରରେ ଆଲୋଚନା ଆରମ୍ଭ ହୋଇଗଲାଣି । ସମୟ ଚକ୍ରରେ ନିର୍ବାଚନ ଖର୍ଚ୍ଚ ବୃଦ୍ଧି ପାଇବା ବଡ଼କଥା ନୁହେଁ । ନିର୍ବାଚନ କମିଶନ ପକ୍ଷରୁ ନିର୍ବାଚନ ଖର୍ଚ୍ଚରାଶିକୁ ଏତେମାତ୍ରାରେ ବଢ଼ାଇ ଦିଆଯାଇଛି ଯାହା କଳ୍ପନାତୀତ । ନିର୍ବାଚନ ଦୌଡ଼ରେ ଆଉ ଗରିବ ଲୋକଟିଏ ଭାଗ ନେଇପାରିବନି । ୧୯୫୧-୫୨ ନିର୍ବାଚନରେ ଅମାନତ ରାଶି ଭାବେ ଯେତିକି ପରିମାଣ ଦାଖଲ କରାଯାଉଥିଲା ।
ପରବର୍ତୀ ସମୟରେ ତାହା ବଢ଼ାଇ ଦିଆଗଲା । ଏବେ ଜଣେ ସାଧାରଣ ବର୍ଗର ବିଧାୟକ ପ୍ରାର୍ଥୀଙ୍କୁ ଅମାନତ ରାଶି ବାବଦକୁ ୧୦ ହଜାର ଟଙ୍କା ଦାଖଲ କରିବାକୁ ପଡୁଛି । ସାଂସଦ ପ୍ରାର୍ଥୀଙ୍କ ଅମାନତ ରାଶି ବାବଦକୁ ୨୫ ହଜାର ଟଙ୍କା ଦାଖଲ କରିବାକୁ ପଡୁଛି । ବର୍ଷକୁ ୧୦୦ ଦିନ କାମ ପାଉଥିବା ଜଣେ ସାଧାରଣ ବର୍ଗର ଲୋକ ସାଧାରଣ ନିର୍ବାଚନରେ ଭାଗ ନେବାର ଆଶା କରିପାରିବ କି? ମୂଳ ସମ୍ବିଧାନରେ ଗରିବ ଓ ଧନୀ ଲୋକଙ୍କୁ ନିର୍ବାଚନରେ ଲଢ଼ିବାକୁ ମଉକା ମିଳୁଥିଲା । ମାତ୍ର ଏବେ କେବଳ ଧନୀଲୋକମାନେ ନିର୍ବାଚନ ଲଢ଼ିବାର ସୁଯୋଗ ପାଉଛନ୍ତି । ଏପରି କ୍ଷେତ୍ରରେ ଏକ ରାଷ୍ଟ୍ର-ଏକ ନିର୍ବାଚନ ପ୍ରକ୍ରିୟା କେତେ ଦୂର ୧୪୦ କୋଟି ଲୋକଙ୍କ ପାଣ୍ଠିକୁ ସାଇତି ରଖିବାରେ କେତେ ଦମଦାର ସାବ୍ୟସ୍ତ ହେବ, ତାହା ବିଚାରଯୋଗ୍ୟ ।