ମାଙ୍କଡ଼ ଦେହରେ କୋଭାକ୍ସିନର ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡ଼ିକାଲ୍ ରିସର୍ଚ୍ଚ(ଆଇସିଏମଆର) ଏବଂ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଦେଶୀ କରୋନା ଟିକା କୋଭାକ୍ସିନ୍ ସୁଫଳ ଆଣୁଛି। ମାଙ୍କଡ଼ ଦେହରେ ଏହାର ପରୀକ୍ଷଣ ସଫଳ ହୋଇଥିବା ଟିକା ପ୍ରସ୍ତୁତକାରୀ ସଂସ୍ଥା ଜଣାଇଛି। କୋଭିସିଲ୍ଡର ପରୀକ୍ଷଣ ସ୍ଥଗିତ ହେବାପରେ ଚାରିଆଡ଼େ ନିରାଶା ଖେଳିଯାଇଥିଲା। ଇତିମଧ୍ୟରେ କୋଭାକ୍ସିନର ସଫଳତା ନୂତନ ଆଶାର ସଞ୍ଚାର କରିଛି।

ସୂଚନା ମୁତାବକ, ୨୦ଟି ମାଙ୍କଡ଼କୁ ୪ଟି ଗ୍ରୁପରେ ଭାଗ କରି ଏହି ଟିକା ଦିଆଯାଇଥିଲା। ଗୋଟିଏ ଗ୍ରୁପକୁ ପ୍ଲାସେବୋ ଦିଆଯାଇଥିବା ବେଳେ ଅନ୍ୟ ୩ଟି ଗ୍ରୁପକୁ ଭିନ୍ନଭିନ୍ନ ଡୋଜର ଟୀକା ପ୍ରଦାନ କରାଗଲା। ଟିକା ଗ୍ରହଣ କରିବାର ତୃତୀୟ ସପ୍ତାହ ବେଳକୁ ମାଙ୍କଡ଼ ମାନଙ୍କ ଦେହରେ ପ୍ରଚୁର ମାତ୍ରାରେ ଆଣ୍ଟିବଡି ବା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଉଥିବା ଦେଖାଯାଇଥିଲା। ଏହି ଆଣ୍ଟିବଡ଼ି ହିଁ କରୋନା ରୋଗୀଙ୍କ ଠାରେ ଭୂତାଣୁକୁ ନିଷ୍କ୍ରିୟ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥାଏ।

Covid-19: AIIMS to start human clinical trial of Covaxin from Monday |  Business Standard News

ବର୍ତ୍ତମାନ ଭାରତରେ ୧୨ଟି ଅନୁଷ୍ଠାନରେ କୋଭାକ୍ସିନ ଟିକାର ଡାକ୍ତରୀ ପରୀକ୍ଷା ଚାଲିଛି। ଦିଲ୍ଲୀ ଏବଂ ପାଟନା ଏମ୍ସ, ହାଇଦ୍ରାବାଦର ନିମ୍ସ ଓ ବିଶାଖାପଟନମର କିଙ୍ଗ୍ ଜର୍ଜ ହସ୍ପିଟାଲ୍ ଆଦିରେ ପ୍ରାୟ ୧୨୨୫ ରୋଗୀଙ୍କ ଠାରେ ଏହାର ପରୀକ୍ଷଣ କରାଯାଉଛି।

ସୂଚନାଯୋଗ୍ୟ, ଆମେରିକାର ଅକ୍ସଫୋର୍ଡ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଟିକା କୋଭିସିଲ୍ଡର ପରୀକ୍ଷଣ ଏବେ ସ୍ଥଗିତ ହୋଇଛି। ବ୍ରିଟେନର ଆଷ୍ଟ୍ରାଜେନିକାରେ ଜଣେ ରୋଗୀ ଏହା ଗ୍ରହଣ କରି ଗୁରୁତର ହେବାପରେ ଭାରତର ସେରମ୍ ଇନଷ୍ଟିଟ୍ୟୁଟ ମଧ୍ୟ ପରୀକ୍ଷଣ ବନ୍ଦ କରିଛି। ଯାହାପରେ କରୋନା ଭୂତାଣୁକୁ ଶେଷ କରିବାକୁ ଟିକା କେବେ ଆସିବ ଏନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ବର୍ତ୍ତମାନ ଦେଶୀ ଟିକା କୋଭାକ୍ସିନର ସଫଳତା ଲୋକଙ୍କୁ ବେଶ ଉତ୍ସାହିତ କରିଛି।