ଗୁଜରାଟ ମଇଦାନରେ କ୍ରିକେଟିୟର ଜାଡେଜାଙ୍କ ପତ୍ନୀ, ଭଉଣୀ

ମାତ୍ର ଜାଡେଜାଙ୍କ ପତ୍ନୀ ରିବାବା ବିଜେପି ଟିକେଟ ପାଇ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି….

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଦୁଇ ଚର୍ଚ୍ଚିତ ନଣନ୍ଦ-ଭାଉଜ । ପ୍ରମୁଖ କ୍ରିକେଟିୟର ରବିନ୍ଦ୍ର ଜାଡେଜାଙ୍କ ବଡ଼ ଭଉଣୀ ନୈନା ଜାଡେଜା କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଚାର କରୁଛନ୍ତି । ମାତ୍ର ଜାଡେଜାଙ୍କ ପତ୍ନୀ ରିବାବା ବିଜେପି ଟିକେଟ ପାଇ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ଗୁଜରାଟର ସୌରାଷ୍ଟ୍ର ଅନ୍ତର୍ଗତ ଜାମନଗରକୁ ଛୋଟ କାଶୀ ଓ ସୌଭାଗ୍ୟ ନଗର କୁହାଯାଏ । ସେଠାକାର ହନୁମାନ ମନ୍ଦିରରେ ୧୯୬୪ରୁ ୨୪ ଘଂଟା ଧରି ରାମଧୂନ ଚାଲିଛି ।

ଅହରହ ଧୂନି ଜଳୁଥିବାରୁ ମନ୍ଦିରଟି ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ଏବେ ଜାମନଗର ନିର୍ବାଚନକୁ କେନ୍ଦ୍ର କରି ଚାରିଆଡେ଼ ଆଲୋଚନା ଚାଲିଛି । ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ବିଜେପିରୁ ଜାମନଗର ନିର୍ବାଚନ ଲଢ଼ୁଛନ୍ତି । ଆଇଏଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ରିବାବା ୨୦୧୮ରେ ଦୂଆଦିଲ୍ଲୀ ଯାଇଥିବା ସମୟରେ ମୋଦୀଙ୍କୁ ଭେଟିଥିଲେ । ସେବେଠାରୁ ରିବାବା ବିଜେପିରେ ଯୋଗ ଦେବାର ଅଭିଳାଷ ପୋଷଣ କରିଥିଲେ । କିନ୍ତୁ ବିଧାୟକ ଅବା ସାଂସଦ ପାଇଁ ଲଢ଼ିବେ, ତାକୁ କେନ୍ଦ୍ର କରି ଚୂଡ଼ାନ୍ତ ନିଷ୍ପତି ନେଇ ନଥିଲେ ।

ହଠାତ୍‌ ଗୁଜରାଟ ବିଜେପି ମୁଖ୍ୟ ସିଆର ପାଟିଲଙ୍କର ଫୋନ୍‌ କଲ ଆସିଲା । ସେ କହିଲେ- ମୋଦୀଜୀ ଓ ଅମିତ ଶାହଜୀ ଆପଣଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି । ଆପଣ ପ୍ରସ୍ତୁତିରେ ଲାଗିପଡନ୍ତୁ । ସେଇ ଗୋଟିଏ ଫୋନ୍‌ କଲରେ ରିବାବା କୂଳରେ ଲାଗିଗଲେ ।

ଜାମନଗରରୁ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେଲେ । ଏବେ ସେ ସକାଳ ୮ଟାରୁ ପ୍ରଚାରରେ ବାହାରି ଯାଉଛନ୍ତି । ଘରକୁ ଫେରିବାର ଠିକ ଠିକଣା ନାହିଁ । ଜାଡେଜାଙ୍କ ଭଉଣୀ ନୈନା ଜାମନଗର ଉତରରୁ ଠିଆ ହେବା ପାଇଁ ଆଗ୍ରହୀ ଥିଲେ । ମାତ୍ର କଂଗ୍ରେସ ତାଙ୍କୁ ଟିକେଟ୍‌ ନଦେଇ ବିପେନ୍ଦ୍ର ସିଂହଙ୍କୁ ଟିକେଟ୍‌ ଦେଇଛି । ତେଣୁ ନୈନା ବିପେନ୍ଦ୍ରଙ୍କ ପାଇଁ ପ୍ରଚାର କରୁଛନ୍ତି ।