ଅହମଦାବାଦ: କରୋନା ସଂକ୍ରମଣ ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ଅହମଦାବାଦରେ ଆଜିଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଲୋକଙ୍କ ଭିତରେ ଚିନ୍ତା ବଢିଛି । ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ ୬ ଯାଏ କର୍ଫ୍ୟୁ ଲାଗୁକ କରାଯିବ। କର୍ଫ୍ୟୁ ସମୟରେ କେବଳ କ୍ଷୀର ଓ ମେଡିସିନ ଦୋକାନ ଖୋଲା ରହିବ।
କର୍ଫ୍ୟୁ ସମ୍ପର୍କରେ ସୂଚନା ମିଳିବା ପରେ ସକାଳୁ ସକାଳୁ ସହରର ବିଭିନ୍ନ ବଜାରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଲୋକମାନେ ଜିନିଷପତ୍ର କିଣିବା ପାଇଁ କରୋନାର ସବୁ କଟକଣା ଭୁଲି ଯାଇଛନ୍ତି। ଆଜି ସକାଳୁ କାଲୁପୁର ମାର୍କେଟରେ ଶତାଧିକ ଲୋକ ଏକାଠି ହୋଇ ଥିଲେ। ସାମଗ୍ରୀ କିଣିବା ପାଇଁ ଲୋକେ ବ୍ୟସ୍ତ ଥିଲେ ଯେ କେହି ବି ସାମାଜିକ ଦୂରତା ନିୟମକୁ ପାଳନ କରି ନଥିଲେ। କେବଳ ଏହି ଗୋଟିଏ ମାର୍କେଟ ନୁହେଁ, ଏକାଧିକ ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଗୁଜରାଟର ଅନ୍ୟ ସହର ଓ ଜିଲ୍ଲାରେ କର୍ଫ୍ୟୁ କିମ୍ବା ଲକଡାଉନ ଲାଗୁ କରାଯାଇ ନାହିଁ। ହେଲେ ଲୋକମାନେ ଲକଡାଉନ ଆଶଙ୍କାରେ ବଜାରରେ ଭିଡ଼ ଜମାଇବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଛନ୍ତି, “ରାଜ୍ୟରେ ଲକଡାଉନ ଲାଗୁ କରିବାର କୌଣସି ସମ୍ଭାବନା ନାହିଁ। ସେହିପରି ସପ୍ତାହନ୍ତ କର୍ଫ୍ୟୁ କେବଳ ଅହମଦାବାଦରେ ସୀମିତ ରହିଛି। ଏଯାଏ ଆଉ କୌଣସି ସ୍ଥାନରେ ଲକଡାଉନ ପାଇଁ ଆଲୋଚନା ହୋଇନାହିଁ। ସମସ୍ତେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ।”