ବାତ୍ୟା ମାଣ୍ଡୋସ: ଭାଙ୍ଗିଲା ଗଛ, ଛେଚିଲା ବର୍ଷା

ଚେନ୍ନାଇ: ଭୀଷଣ ବାତ୍ୟାର ରୂପ ନେଇ ମାଣ୍ଡୋସ ଶୁକ୍ରବାର ରାତିରେ ତାମିଲନାଡୁର ମାମଲାପୁରମ ଠାରେ ଲ୍ୟାଣ୍ଡଫଲ କରିଛି। ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୮୫ କିମି ରହିଥିଲା। ଏଥିସହ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇଥିଲା।

ଲ୍ୟାଣ୍ଡଫଲ ପ୍ରକ୍ରିୟା ଦୀର୍ଘ  ଘଣ୍ଟା ଧରି ଚାଲିଥିବା ବେଳେ ମାମଲାପୁରମ ଓ ଚେନ୍ନାଇ ସମେତ ଏକାଧିକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏକାଧିକ ସ୍ଥାନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ସେହିପରି ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ଫ୍ଲାଶଫ୍ଲଡ ବା ଅଚାନକ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ସମୁଦ୍ର କୂଳରେ ଥିବା ଏକାଧିକ ଘର ଓ ଦୋକାନ ମଧ୍ୟ ବାତ୍ୟା ଯୋଗୁ ଭାଙ୍ଗି ଯାଇଛି।

ବାତ୍ୟା ମାଣ୍ଡୋସ ଲ୍ୟାଣ୍ତଫଲ କରିବା ପରେ ଦୁର୍ବଳ ହୋଇ ଗଭୀର ଅବପାତ ଅବସ୍ଥାରେ ରହିଛି। ଏହାର ପ୍ରଭାବରେ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ମାଣ୍ଡୋସ ରାତି ପ୍ରାୟ ୧୧.୩୦ରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଥିଲା। ତାମିଲନାଡୁର ମାମଲାପୁରମ(ମହାବଳୀପୁରମ) ଉପକୂଳ ଦେଇ ଏହା ରାତି ପ୍ରାୟ ୧.୩୦ରେ ସ୍ଥଳ ଭାଗକୁ ସଂପୂର୍ଣ୍ଣ ଭାବେ ଅତିକ୍ରମ କରିଥିଲା। ଏହାର ଅର୍ଥ ୨ ଘଣ୍ଟା ଧରି ବାତ୍ୟା ସ୍ଥଳ ଭାଗରେ ରହିଥିଲା।