ଭାରତରେ ରହିବାକୁ ଚାହୁଁଥିଲା ମୃତ ଆତଙ୍କୀ ଜୱାହିରୀ

ବିଭିନ୍ନ ପ୍ରସଙ୍ଗରେ ଉତ୍ତେଜନାମୂଳକ ବିବୃତି ଦେଇ ଭିଡିଓ ଚିତ୍ର ପ୍ରସ୍ତୁତ କରୁଥିଲା….

ନୂଆଦିଲ୍ଲୀ: କୌଣସିମତେ ଭାରତରେ ଆସ୍ଥାନ ଜମାଇ ଅଲ-କାଇଦାକୁ ପରିଚାଳନା କରିବା ମୃତ ଆତଙ୍କୀ ଅୟମାନ୍‌ ଅଲ-ଜୱାହିରୀର ଏକମାତ୍ର ଲକ୍ଷ୍ୟ ଥିଲା । ଯୁକ୍ତରାଷ୍ଟ୍ର ଆମେରିକା ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ଥିବାରୁ ଭାରତରେ ଅବସ୍ଥାନ କଲେ ଆମେରିକା ଡ୍ରୋନ୍‌ ଭୟ ରହିବ ନାହିଁ ବୋଲି ଜୱାହିରୀ ନିଶ୍ଚିତ ଥିଲା । ଭାରତ ସହିତ କୂଟନୈତିକ ସମ୍ପର୍କ ମଜବୁତ୍‌ କରିବା ପରେ ଆନ୍ତର୍ଜାତିକ ସ୍ୱୀକୃତି ଲାଭ କରିବା ସହଜ ହେବ ବିଚାର କରି ଆଫଗାନିସ୍ତାନର ତାଲିବାନ୍‌ ଶାସକ ଗୋଷ୍ଠୀ ସତର୍କତାର ସହ ଗୋଟି ଚଳାଉଥିଲା । ମାତ୍ର ତାଲିବାନ ସୁରକ୍ଷା ବଳୟକୁ ଭେଦ କରି ଯୁକ୍ତରାଷ୍ଟ୍ର ଆମେରିକା କୁଖ୍ୟାତ ଅଲ-କାଏଦା ନେତା ଆୟମାନ ଅଲ-ଜୱାହିରୀକୁ ମାରିବା ଫଳରେ ତାଲିବାନର ସବୁ ଆଶା ଧୂଳିସାତ୍‌ ହୋଇଛି । ଚତୁର ତାଲିବାନ୍‌ କୁଖ୍ୟାତ ଅଲ୍‌-କାଇଦା ଓ ତା’ର ମୁଖ୍ୟ ଆୟମାନ ଅଲ୍‌-ଜୱାହିରୀକୁ ଅଭୟ ଦେଇଥିବା ଜାଣିବା ପରେ ଭାରତ ଏବେ ସଜାଗ ହୋଇଯାଇଛି ।

ଏବେମଧ୍ୟ ଆଫଗାନିସ୍ତାନ ଆତଙ୍କୀ ସଂଗଠନର ଭୂସ୍ୱର୍ଗ ହୋଇରହିଛି । ଏପରିକି ପାକିସ୍ତାନରେ ଗଠିତ ବହୁ ଆତଙ୍କୀ ସଂଗଠନ ଆଫଗାନିସ୍ତାନରେ ଗଡ଼ ବିସ୍ତାର କରି ରହିଛନ୍ତି । ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନକୁ ଆନ୍ତର୍ଜାତିକ ସ୍ୱୀକୃତି ମିଳିନାହିଁ । ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ, ବ୍ରିଟେନ୍‌, ଫ୍ରାନ୍ସ ଭଳି ଦେଶଗୁଡ଼ିକ ତାଲିବାନକୁ ରାଷ୍ଟ୍ରମଙ୍ଗଳକାରୀ ଶାସକ ଗୋଷ୍ଠୀ ମାନିବାକୁ ନାରାଜ । ଆନ୍ତର୍ଜାତିକ ମାନ୍ୟତା ନପାଇଲେ, ତାଲିବାନକୁ ଆନ୍ତର୍ଜାତିକ ସ୍ତରରୁ ଆର୍ôଥକ ସହାୟତା ମିଳିବ ନାହିଁ । ଫଳରେ ଆଫଗାନିସ୍ତାନକୁ ନବରୂପ ଦେବା ଅସମ୍ଭବ ପ୍ରାୟ ।

ତାଲିବାନ ଶରଣରେ ରହି ଜୱାହିରୀ ଭାରତର ଆଭ୍ୟନ୍ତରୀଣ କନ୍ଦଳକୁ ତେଜାଇବାର ପ୍ରୟାସ ଚଳାଇଥିଲା । ବିଭିନ୍ନ ପ୍ରସଙ୍ଗରେ ଉତ୍ତେଜନାମୂଳକ ବିବୃତି ଦେଇ ଭିଡିଓ ଚିତ୍ର ପ୍ରସ୍ତୁତ କରୁଥିଲା । ତାକୁ ସୋସିଆଲ୍‌ ମିଡିଆରେ ପ୍ରସାରଣ କରୁଥିଲା । ନିକଟ ଅତୀତରେ ଜୱାହିରୀ କର୍ଣ୍ଣାଟକର ହିଜାବ ବିବାଦକୁ କେନ୍ଦ୍ର କରି ବିବାଦୀୟ ବିବୃତିର ଭିଡିଓ ଚିତ୍ର ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ପ୍ରସାରଣ କରିଥିଲା ।