ୱାଶିଂଟନ: ‘ୟୁକ୍ରେନ ସହିତ କଥା ହୋଇ ତାକୁ ବାଟକୁ ଆଣିବା କାଠକର ପାଠ । ରୁଷିଆ ସହିତ ହାତ ମିଳାଇବା ବେଶ ସହଜ ।’ ଏପରି ମନ୍ତବ୍ୟ ପ୍ରକାଶ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ମତରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର ଜେଲେନ୍ସ୍କିଙ୍କ ମନରେ ରୁଷିଆ ସପକ୍ଷରେ ବିଶ୍ୱାସ ଜନ୍ମାଇ ଯୁଦ୍ଧ ବନ୍ଦ କରିବା ସହଜ ମନେହୁଏନା । ମାତ୍ର ପୁଟିନଙ୍କୁ ମନାଇବା ସହଜ ।
ପୁଟିନଙ୍କ ସହ ଟ୍ରମ୍ପଙ୍କ ବନ୍ଧୁତା ଅତି ନିବିଡ଼ । ଦୁହିଁଙ୍କ ଚିନ୍ତାଧାରା ଅନେକାଂଶରେ ମିଶିଯାଉଥିବାରୁ ସମ୍ଭବତଃ ଟ୍ରମ୍ପଙ୍କ ମନରେ ପୁଟିନଙ୍କ ପ୍ରତି ଅନୁରାଗ ବଢ଼ିଯାଇଛି । ହ୍ୱାଇଟ୍ ହାଉସ୍ରେ ଜେଲେନ୍ସ୍କିଙ୍କ ସହିତ ବୁଝାମଣା ବିଫଳ ହେବାରୁ ଟମ୍ପ ଅତି ମାତ୍ରାରେ ବିରକ୍ତ ହୋଇଯାଇଛନ୍ତି । ୟୁକ୍ରେନ ସହିତ କୂଟନୈତିକ ସଂପର୍କ ସ୍ଥାପନ କରିବା ପାଇଁ ଟ୍ରମ୍ପ ଏକପ୍ରକାର ପଛାଇ ଯାଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ବାଇଡେନ୍ଙ୍କ ସହିତ ଜେଲେନ୍ସ୍କିଙ୍କ ସଂପର୍କ ବେଶ ଭଲ ଥିଲା । ଟ୍ରମ୍ପଙ୍କ କଥାରେ ବିଶ୍ୱାସ କରି ରୁଷିଆ ବିରୋଧରେ ଅସ୍ତ୍ର ବିରତି ଘୋଷଣା କରିବା ବୁଦ୍ଧିମାନର କାମ ହେବ ବୋଲି ଜେଲେନ୍ସ୍କି ବୁଝିବାକୁ ନାରାଜ ।
ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ କରିବା ଭିତରେ ୟୁକ୍ରେନ ଆର୍ଥିକ ଦୃଷ୍ଟିରୁ ବହୁତ ଦୁର୍ବଳ ହୋଇଗଲାଣି । ୟୁକ୍ରେନ ପାଖରେ ଅସ୍ତ୍ରଶସ୍ତ୍ର ସରି ଆସିଲାଣି । ଗୁଳିଗୋଳା ସରିଆସିଲାଣି । କମାଣ, ରକେଟ୍, ଯୁଦ୍ଧ ବିମାନ କମିଗଲାଣି । ଏବେ ୟୁକ୍ରେନ ସଂପୂର୍ଣ୍ଣ ଭାବେ ଯୁକ୍ତରାଷ୍ଟ୍ର ଆମେରିକା ଉପରେ ନିର୍ଭରଶୀଳ । ଆମେରିକା ଅସ୍ତ୍ରଶସ୍ତ୍ର ଗୁଳିଗୋଳା, କମାଣ ଓ ଲଢୁଆ ଜେଟ୍ ସହାୟତା କଲେ ୟୁକ୍ରେନ ରୁଷିଆ ସହିତ ଲଢ଼ିବ ନଚେତ୍ ସନ୍ଧି କରିବାକୁ ବାଧ୍ୟ ହେବ ।