ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କ ମୃତ୍ୟୁ: ନିଜକୁ ନିଜେ କରିଥିଲେ ଗୁଳି

ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି, ଯାହା ଚଳିତ ବର୍ଷର ପଞ୍ଚମ ଘଟଣା। ତେବେ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଛାତ୍ର ଜଣକ ନିଜେ ନିଜ ମୁଣ୍ଡରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

ଇଣ୍ଡିଆନାର ଏକ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୀର କାମାଥଙ୍କ ମୃତଦେହ ସୋମବାର ସଂଧ୍ୟାରେ ଏକ ପାର୍କରୁ ମିଳିଥିବା ପୁଲିସ କହିଛି।
୨୩ ବର୍ଷୀୟ ଏହି ଛାତ୍ର ୨୦୨୩ ଅଗଷ୍ଟରେ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପରେ ଆମେରିକାର ନାଗରିକତା ହାସଲ କରିଥିଲେ ଏବଂ ସଂପ୍ରତି ସେ ପର୍ଡ୍ୟୁ ବିଶ୍ବବିଦ୍ୟାଳୟରେ ଡକ୍ଟୋରେଟ୍ କରୁଥିଲେ।

ଏହି ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଆଉଜଣେ ଛାତ୍ର ନୀଲଙ୍କର ମଧ୍ୟ ମୃତଦେହ ନିକଟସ୍ଥ ଏକ ପଡ଼ିଆରୁ କିଛିଦିନ ତଳେ ଠାବ ହୋଇଥିଲା।
ତେବେ କର୍ତ୍ତୃପକ୍ଷ ଏହି ମାମଲାରେ କୌଣସି ଅପରାଧ ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେହିଭଳି ଜର୍ଜିଆର ଲିଥୋନିଆରେ ଏମ୍ବିଏ ପଢୁଥିବା ବିବେକ ସାଇନୀଙ୍କର ଜାନୁଆରି ୧୬ ରେ ଜଣେ ବାସହୀନ ବ୍ୟକ୍ତିଙ୍କ ଆକ୍ରମଣରେ ମୃତ୍ୟୁ ହୋଇଥିଲା ।

ଏହି ବ୍ୟକ୍ତିଙ୍କୁ ମାଗଣାରେ ଖାଦ୍ୟ ଦେବାକୁ ମନା କରିବାରୁ ସେ ସାଇନୀଙ୍କୁ ଅତି ଜଘନ୍ୟ ହତ୍ୟା କରିଥିଲା। ବର୍ଷକ ମଧ୍ୟରେ ଆମେରିକାରେ ୫ ଜଣ ଭାରତୀୟ ଛାତ୍ରଙ୍କ ଏଭଳି ମୃତ୍ୟୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।