ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ଓଡ଼ିଶା ଟପ୍ପର ହେଲେ ଦେବାଶିଷ ପଣ୍ଡା

ନୂଆଦିଲ୍ଲୀ: ପରୀକ୍ଷା ଶେଷ ହେବାର ମାତ୍ର ୬ ଦିନ ମଧ୍ୟରେ ଜେଇଇ ମେନ୍‌(ମାର୍ଚ୍ଚ ସେସନ)ର ରେଜଲ୍ଟ ଏନଟିଏ ପକ୍ଷରୁ ପ୍ରକାଶ ପାଇଛି। ପୂର୍ବରୁ ଫେବୃଆରୀ ସେସନର ଜେଇଇ ମେନ୍‌ ରେଜଲ୍ଟ ପ୍ରକାଶ ପାଇଥିଲା। ମାର୍ଚ୍ଚ ସେସନର ଜେଇଇ ମେନ୍‌ ପରୀକ୍ଷା ପାଇଁ ୬,୧୯,୩୬୮ ଜଣ ଶିକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରାୟ ୫ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୧୬ରୁ ୧୮ ଯାଏ ଏହି ପରୀକ୍ଷା ହୋଇଥିଲା।

ଏହି ସେସନରେ ମୋଟ ୧୩ ଜଣ ଶିକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ଓଡ଼ିଶାରୁ ଟପ୍ପର ହୋଇଛନ୍ତି ଦେବାଶିଷ ପଣ୍ଡା। ସେ ମୋଟ ୯୯.୯୫% ମାର୍କ ରଖିଛନ୍ତି। ଶତ ପ୍ରତିଶତ ମାର୍କ ରଖିଥିବା ଶିକ୍ଷାର୍ଥୀମାନେହେଲେ ଦିଲ୍ଲୀର ସିଦ୍ଧାର୍ଥ କଲରା ଓ କାବ୍ୟା ଚୋପ୍ରା, ତେଲେଙ୍ଗାନାର ବାନ୍ନୁରୁ ରୋହିତ କୁମାର ରେଡ୍ଡୀ, ମାଦୁର ଆଦର୍ଶ ରେଡ୍ଡୀ ଓ ଯୋସୟୁଲା ଭେଙ୍କଟ ଆଦିତ୍ୟ, ପଶ୍ଚିମବଙ୍ଗର ବ୍ରାଟିନ ମଣ୍ଡଳ, ବିହାରର କୁମାର ସତ୍ୟଦର୍ଶୀ, ରାଜସ୍ଥାନର ମ୍ରିଦୁଲ ଅଗ୍ରୱାଲ ଓ ଜେନିଥ ମାଲହୋତ୍ରା, ତାମିଲନାଡୁର ଅଶ୍ୱିନ ଅବ୍ରାହମ ଏବଂ ମହାରାଷ୍ଟ୍ରର ଅଥର୍ବ ଅଭିଜିତ ତାମବାଟ ଓ ବକ୍ସି ଗାର୍ଗୀ ମାରକଣ୍ଡ।