ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଛି ଡବଲ୍ ଝଟ୍କା । କେଜ୍ରିୱାଲଙ୍କ ଜାମିନ ରୋକିଲେ ହାଇକୋର୍ଟ । ସେପଟେ ତିହାର ଜେଲରୁ ଗିରଫ କଲା ସିବିଆଇ । ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିବା ରାଉଜ ଆଭେନ୍ୟୁ କୋର୍ଟଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଲଗାଇଥିବା ଦିଲ୍ଲୀ ହାଇକୋର୍ଟ ଏହି ରହିତାଦେଶକୁ କାଏମ ରଖିଛନ୍ତି। ଫଳରେ କେଜ୍ରିୱାଲ ଜେଲ୍ରୁ ଏବେ ମୁକୁଳି ପାରିବେନି। ଅନ୍ୟପକ୍ଷରେ ମଦ ଦୁର୍ନୀତି ମାମଲାରେ ସିବିଆଇ ମଙ୍ଗଳବାର କେଜ୍ରିୱାଲଙ୍କୁ ତିହାର ଜେଲ୍ରୁ ଗିରଫ କରିଛି।
ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ଏହା ପୂର୍ବରୁ ଗତକାଲି ସିବିଆଇ କେଜ୍ରିୱାଲଙ୍କୁ ଗିରଫ କରିବା ନେଇ ରାଜନୀତି ସରଗରମ ହୋଇଛି। ସୁପ୍ରିମକୋର୍ଟ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଜାମିନ ମଂଜୁର କଲେ ମଧ୍ୟ ସେ ଜେଲ୍ରେ ରହିବେ। ମିଳିଥିବା ସୂଚନାନୁଯାୟୀ ସିବିଆଇ ଆଜି ଅରବିନ୍ଦ କେଜ୍ରିୱାଲଙ୍କୁ ଟ୍ରାଏଲ କୋର୍ଟରେ ହାଜର କରିବ।
ହାଇକୋର୍ଟରେ ଜାମିନ ଶୁଣାଣି ସମୟରେ ଜଷ୍ଟିସ ସୁଧୀର କୁମାର ଜୈନଙ୍କ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି, ଟ୍ରାଏଲ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ମଂଜୁର କରିବା ସମୟରେ ମୁଣ୍ଡ ଖଟାଇନାହାନ୍ତି। ଟ୍ରାଏଲ କୋର୍ଟଙ୍କ ରାୟରେ ତ୍ରୁଟି ଅଛି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଇଡି କେଜ୍ରିୱାଲଙ୍କ ବିରୋଧରେ ଏହି ମାମଲାରେ ଦାଖଲ ହୋଇଥିବା ତଥ୍ୟକୁ ଟ୍ରାଏଲ କୋର୍ଟ ବିଚାରକୁ ନନେବା ଅଯୌକ୍ତିକ ବୋଲି ହାଇକୋର୍ଟ କହିଛନ୍ତି। ଇଡି ଦ୍ୱାରା ଦାଖଲ ହୋଇଥିବା ତଥ୍ୟକୁ ଟ୍ରାଏଲ କୋର୍ଟ ଅତ୍ୟନ୍ତ ବିଶାଳ କହି ଏହାକୁ ବିଚାରକୁ ନେଇ ନଥିଲେ।
ତେଣୁ ହାଇକୋର୍ଟ ଏହି ମର୍ମରେ କହିଛନ୍ତି ଯେ ଟ୍ରାଏଲ କୋର୍ଟ ଏହି ତଥ୍ୟ ଉପରେ ଆଦୌ ମୁଣ୍ଡ ଖଟାଇନାହାନ୍ତି। ସେହିପରି ଇଡିକୁ ଏହାର ମାମଲା ଉପସ୍ଥାପନ କରିବାପାଇଁ ଟ୍ରାଏଲ କୋର୍ଟ ପର୍ୟ୍ୟାପ୍ତ ସମୟ ଦେବା ଆବଶ୍ୟକ ଥିଲା ବୋଲି ହାଇକୋର୍ଟ କହିଛନ୍ତି। ଟ୍ରାଏଲ କୋର୍ଟଙ୍କ ଦ୍ବାରା ପିଏମ୍ଏଲ୍ଏର ଧାରା ୪୫ ଉପରେ ବିସ୍ତୃତ ଆଲୋକପାତ ହୋଇନାହିଁ ବୋଲି କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲ ଗତ ମାର୍ଚ୍ଚରେ ଗିରଫ ହୋଇଥିଲେ।