ନିକଟରେ ଶେଷ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ମାତ୍ର ୨ ପ୍ରତିଶତ ଭୋଟ ହାତରୁ ଚାଲିଯିବାରୁ ଆପ୍ ହାତରୁ ଚାଲିଗଲା ଶାସନ କ୍ଷମତା । ଆପ୍ ହାତରେ ରହିଗଲା ୨୨ଟି ଆସନ । ନୂଆଦିଲ୍ଲୀ, ଜଙ୍ଗପୁରା, ଗ୍ରେଟର କୈଲାସ, ସଙ୍ଗମ ବିହାର ଭଳି ଆସନରେ କଂଗ୍ରେସ ପ୍ରାର୍ଥୀ ଭୋଟ କାଟିଦେବା କାରଣରୁ ଆପ୍ ହାରିଗଲା । କ୍ଷମତାରୁ ଚାଲିଯିବା ପରେ ଆପ୍ ଭିତରେ ପରାଜୟକୁ କେନ୍ଦ୍ର କରି ମାନସ ମନ୍ଥନ ଆରମ୍ଭ ହୋଇଛି । ତେବେ ଆପ୍ ହାରିବା ପଛରେ ବହୁ ବୁଦ୍ଧିଜୀବୀ କଂଗ୍ରେସକୁ ଦାୟୀ କରିଛନ୍ତି ।
ଦିଲ୍ଲୀକୁ ଜିତିବା ପାଇଁ ନୁହେଁ ବରଂ ଆପ୍କୁ ହରାଇବା ପାଇଁ କଂଗ୍ରେସ ମଇଦାନକୁ ଓହ୍ଲାଇଥିଲା ବୋଲି ବରିଷ୍ଠ ନାଗରିକ ମହଲରେ ଆଲୋଚନା ଚାଲିଛି ।
ନିର୍ବାଚନ ମତଦାନ ହାରକୁ ଭଲ ଭାବରେ ଅନୁଧ୍ୟାନ କଲେ ଜଣାଯାଏ, ୧୪ଟି ଆସନରେ ଆପ୍କୁ ହରାଇବା ପଛରେ କଂଗ୍ରେସର ଭୂମିକା ରହିଛି । ବିଜେପି ଓ ଆପ୍ ପ୍ରାର୍ଥୀଙ୍କ ମଧ୍ୟରେ ମାତ୍ର କେଇଖଣ୍ଡ ଭୋଟ ବ୍ୟବଧାନ ।
ବିଜେପିର ବିପୁଳ ବିଜୟ ପଛରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଲୋକପ୍ରିୟତା ନୁହେଁ କଂଗ୍ରେସ-ଆପ୍ କଳି ଦାୟୀ । ବିଜେପିକୁ ୪୫.୭୬ ପ୍ରତିଶତ ଭୋଟ ମିଳିଥିବା ବେଳେ ଆପ୍କୁ ୪୩.୫୫ ପ୍ରତିଶତ ଭୋଟ ମିଳିଥିଲା । କଂଗ୍ରେସକୁ ମାତ୍ର ୬.୩୬ ପ୍ରତିଶତ ଭୋଟ ମିଳିଲା । କଂଗ୍ରେସ ଭଳି ଗୋଟିଏ ଜାତୀୟ ଦଳକୁ ଦିଲ୍ଲୀ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି କହିଲେ ଅତ୍ୟୁକ୍ତି ହେବନି ।
ଆପ୍ ପରାଜିତ ହେବା ପରେ ଇଣ୍ଡିଆ ମେଂଟ ଭିତରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଗଲାଣି । ରାହୁଲ ଗାନ୍ଧୀଙ୍କ ମତିଗତି ଉପରେ ଅଖିଳେଶ ଯାଦବ, ମମତା ବାନାର୍ଜୀ, ଉଦ୍ଧବ ଠାକରେ ସନ୍ଦେହ ପ୍ରକଟ କରିଛନ୍ତି ।
ମେଂଟ ଧର୍ମ ବଜାୟ ରଖିବା ପାଇଁ କଂଗ୍ରେସକୁ ବଳିଦାନ ପନ୍ଥା ଅବଲମ୍ବନ କରିବା ଉଚିତ ଯାହା ରାହୁଲ ଗାନ୍ଧୀଙ୍କୁ ଆଦୌ ପସନ୍ଦ ନୁହେଁ ।
ସୂଚନା ମୁତାବକ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ୫୩.୫୭ ପ୍ରତିଶତ ଭୋଟ ପାଇ ମୋଟ ୬୨ଟି ଆସନ ଦଖଲ କରିଥିଲା । ଚଳିତ ନିର୍ବାଚନରେ ଆପ୍ ୧୦ ପ୍ରତିଶତ ଭୋଟ ହରାଇ ଦେଲା । ଫଳରେ ହାତରୁ ୪୦ଟି ଆସନ ଚାଲିଗଲା । ଅପରପକ୍ଷେ ୨୦୨୦ରେ ବିଜେପି ୩୮.୫୧ ପ୍ରତିଶତ ଭୋଟ ପାଇଥିଲା, ଚଳିତ ନିର୍ବାଚନରେ ୭ ପ୍ରତିଶତ ଅଧିକ ଭୋଟ ପାଇଯିବାରୁ ପୂର୍ବ ଆସନ ତୁଳନାରେ ଅଧିକ ୪୦ଟି ଆସନ ପାଇଗଲା ।